ସୁସମାଚାରରେ ଯୀଶୁଙ୍କ ପୁନରୁତ୍ଥାନ ଦୃଶ୍ୟ |

ପୁନରୁତ୍ଥିତ ଯୀଶୁଙ୍କ ଶିଷ୍ୟମାନଙ୍କୁ ଦର୍ଶନ19 ସେହି ଦିନ, ଅର୍ଥାତ୍‍, ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୂଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ । 20 ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ । ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ । 21 ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି । 22 ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କର । 23 ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ ।ଯୀଶୁ ଓ ଥୋମା24 କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସାଙ୍ଗରେ ନ ଥିଲେ । 25 ଅତଏବ, ଅନ୍ୟ ଶିଷ୍ୟମାନେ ତାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ । କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହି ସବୁ ସ୍ଥାନରେ ମୋହର ଆଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ । 26 ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ । ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ । 27 ପରେ ସେ ଥୋମାଙ୍କୁ କହିଲେ, ଏଆଡ଼େ ତୁମ୍ଭର ଆଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ । 28 ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ୱର । 29 ଯୀଶୁ ତାଙ୍କୁ କହିଲେ, ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ ।ଏହି ପୁସ୍ତକର ଉଦ୍ଦେଶ୍ୟ30 ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହି ସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ; 31 କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥି ନିମନ୍ତେ ଏସମସ୍ତ ଲେଖାଯାଇଅଛି ।ଯୋହନ

20: 19-31

ସାତ ଜଣ ଶିଷ୍ୟଙ୍କୁ ଯୀଶୁଙ୍କ ଦର୍ଶନ

21ଏଥିଉତ୍ତାରେ ଯୀଶୁ ତିବିରୀୟା ସମୁଦ୍ରକୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ । ସେ ଏହି ପ୍ରକାରେ ଦର୍ଶନ ଦେଲେ; ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ । ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି । ସେମାନେ ତାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ । ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ । କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ । ଯୀଶୁ ସେମାନଙ୍କୁ କହିଲେ, ପିଲାମାନେ ତୁମ୍ଭମାନଙ୍କ ପାଖରେ କ’ଣ କିଛି ଖାଇବାର ଅଛି ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ । ସେ ସେମାନଙ୍କୁ କହିଲେ, ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ । ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ । ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଫୁଙ୍ଗା ଦେହ ହୋଇଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ; କିନ୍ତୁ ଅନ୍ୟ ଶିଷ୍ୟମାନେ ମାଛରେ ଭର୍ତ୍ତି ହୋଇଥିବା ଜାଲ ଟାଣି ଟାଣି ସାନ ନାଆରେ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ । ସେମାନେ କୂଳରେ ଓହ୍ଳାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ । 10 ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ । 11 ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ । 12 ଯୀଶୁ ସେମାନଙ୍କୁ କହିଲେ, ଆସି ଭୋଜନ କର । ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ । 13 ଯୀଶୁ ଆସି ରୁଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ । 14 ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ ।

ପିତରଙ୍କୁ ଯୀଶୁଙ୍କ ଆଦେଶ

15 ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ’ଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ସେ ତାଙ୍କୁ କହିଲେ, ମୋହର ମେଷଶାବକମାନଙ୍କୁ ଚରାଅ । 16 ସେ ପୁନର୍ବାର ଦ୍ୱିତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ’ଣ ମୋତେ ପ୍ରେମ କରୁଅଛ ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ସେ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ପ୍ରତିପାଳନ କର । 17 ସେ ତୃତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ’ଣ ମୋତେ ସ୍ନେହ କରୁଅଛ ? ତୁମ୍ଭେ କ’ଣ ମୋତେ ସ୍ନେହ କରୁଅଛ, ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୋ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ଯୀଶୁ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ଚରାଅ । 18 ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ । 19 ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ । ଏହା କହିଲା ଉତ୍ତାରେ ସେ ତାଙ୍କୁ କହିଲେ, ମୋହର ଅନୁଗାମୀ ହୁଅ ।ଯୀଶୁ ଓ ତାହାଙ୍କ ପ୍ରିୟ ଶିଷ୍ୟ20 ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ । 21 ପିତର ତାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କ’ଣ ? 22 ଯୀଶୁ ତାଙ୍କୁ କହିଲେ, ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ’ଣ ଅଛି ? ତୁମ୍ଭେ ମୋହର ଅନୁଗାମୀ ହୁଅ । 23 ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାଙ୍କୁ କହି ନ ଥିଲେ, କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ’ଣ ଅଛି ବୋଲି କହିଥିଲେ । 24 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ ।ଉପସଂହାର25 ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହି ସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହି ସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ

ଯୋହନ 21: 1-25

ପବିତ୍ର ଆତ୍ମାଙ୍କ ପ୍ରତିଜ୍ଞା

1ହେ ଥୀୟଫିଲ, ଯେଉଁ ଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଊର୍ଦ୍ଧ୍ୱକୁ ନିଆଗଲେ, ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟ ନେଇ ମୁଁ ପ୍ରଥମ ଲୂକ ପୁସ୍ତକଟି ଲେଖିଅଛି । ସେ ମଧ୍ୟ ଆପଣା ଦୁଃଖଭୋଗ ଉତ୍ତାରେ ଅନେକ ପ୍ରମାଣ ଦ୍ୱାରା ସେମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟ ଗୁଡ଼ିକ କହିଲେ । ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ଯିରୂଶାଲମରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋ’ଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ; କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ ।ଯୀଶୁଙ୍କ ସ୍ୱର୍ଗାରୋହଣଅତଏବ, ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ; “ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି ?” ସେ ସେମାନଙ୍କୁ କହିଲେ, ”ଯେଉଁ ସମସ୍ତ କାଳ କି ସମୟ ପିତା ଆପଣା କ୍ଷମତାର ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ । କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ ।” ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା । 10 ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, 11 ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ ।

ପ୍ରେରିତ ୧: ୧-11-୧।