Skip to content
Home » ସୁସମାଚାରରୁ ଶୁଭ ଶୁକ୍ରବାର ଇଭେଣ୍ଟ |

ସୁସମାଚାରରୁ ଶୁଭ ଶୁକ୍ରବାର ଇଭେଣ୍ଟ |

ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ18ଯୀଶୁ ଏହି ସବୁ କଥା କହି ଆପଣା ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଜୋଡ଼ର ଆରପାଖକୁ ବାହାରିଗଲେ । ସେଠାରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେ ଓ ତାହାଙ୍କ ଶିଷ୍ୟମାନେ ସେଥିରେ ପ୍ରବେଶ କଲେ । ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେହି ସ୍ଥାନ ଜାଣିଥିଲା, କାରଣ ଯୀଶୁ ଅନେକ ଥର ଆପଣା ଶିଷ୍ୟମାନଙ୍କ ସହିତ ସେ ସ୍ଥାନକୁ ଯାଉଥିଲେ । ଅତଏବ, ଯିହୂଦା ସୈନ୍ୟଦଳ ପୁଣି, ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କଠାରୁ ପ୍ରାପ୍ତ ପଦାତିକମାନଙ୍କୁ ଘେନି ବତୀ, ମଶାଲ ଓ ଅସ୍ତ୍ରଶସ୍ତ୍ର ଧରି ସେଠାକୁ ଆସିଲା । ସେଥିରେ ଯୀଶୁ, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହି ସବୁ ଜାଣି ଆଗକୁ ଯାଇ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହାକୁ ଖୋଜୁଅଛ ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାଜରିତୀୟ ଯୀଶୁକୁ । ସେ ସେମାନଙ୍କୁ କହିଲେ, ମୁଁ ସେହି । ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା । ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ । ସେଥିରେ ସେ ସେମାନଙ୍କୁ ଆଉ ଥରେ ପଚାରିଲେ, ତୁମ୍ଭେମାନେ କାହାକୁ ଖୋଜୁଅଛ ? ସେମାନେ କହିଲେ, ନାଜରିତୀୟ ଯୀଶୁଙ୍କୁ । ଯୀଶୁ ଉତ୍ତର ଦେଲେ, ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି । ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ । ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ । 10 ଶିମୋନ ପିତରଙ୍କ ପାଖରେ ଖଣ୍ଡା ଥିବାରୁ ସେ ତାହା ବାହାର କରି ମହାଯାଜକଙ୍କ ଦାସକୁ ଆଘାତ କଲେ ଓ ତାହାର ଡାହାଣ କାନ କାଟିପକାଇଲେ; ସେହି ଦାସର ନାମ ମାଲ୍‍ଖ । 11 ସେଥିରେ ଯୀଶୁ ପିତରଙ୍କୁ କହିଲେ, ଖଣ୍ଡା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କ’ଣ ସେଥିରୁ ପାନ କରିବି ନାହିଁ ?ହାନାନଙ୍କ ସମ୍ମୁଖରେ ଯୀଶୁ12 ଏହାପରେ ସୈନ୍ୟଦଳ, ପ୍ରଧାନ ସେନାପତି, ପୁଣି, ଯିହୂଦୀମାନଙ୍କର ପଦାତିକମାନେ ଯୀଶୁଙ୍କୁ ଧରିଲେ 13 ଓ ତାହାଙ୍କୁ ବାନ୍ଧି ପ୍ରଥମେ ହାନାନଙ୍କ ନିକଟକୁ ଘେନିଗଲେ, କାରଣ ସେ ସେହି ବର୍ଷର ମହାଯାଜକ କୟାଫାଙ୍କର ଶ୍ୱଶୁର ଥିଲେ । 

ଯୋହନ 18: 1-13

ଯୀଶୁଙ୍କୁ ମହାଯାଜକଙ୍କ ପ୍ରଶ୍ନ19 ଇତିମଧ୍ୟରେ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ତାହାଙ୍କ ଶିକ୍ଷା ସମ୍ବନ୍ଧରେ ପଚାରିଲେ । 20 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ଜଗତ ନିକଟରେ ପ୍ରକାଶରେ କଥା କହିଅଛି; ଯେଉଁଠାରେ ସମସ୍ତ ଯିହୂଦୀ ଏକତ୍ର ହୁଅନ୍ତି, ଏପରି ସମାଜଗୃହ ଓ ମନ୍ଦିରରେ ମୁଁ ସର୍ବଦା ଶିକ୍ଷା ଦେଇଅଛି; ମୁଁ ଗୋପନରେ କିଛି କହି ନାହିଁ । 21 ମୋତେ କାହିଁକି ପଚାରୁଅଛନ୍ତି ? ମୁଁ ସେମାନଙ୍କୁ କ’ଣ କହିଅଛି, ଯେଉଁମାନେ ଶୁଣିଅଛନ୍ତି, ସେମାନଙ୍କୁ ପଚାରନ୍ତୁ; ଦେଖନ୍ତୁ, ମୁଁ ଯାହା ଯାହା କହିଅଛି, ସେମାନେ ସେହି ସବୁ ଜାଣନ୍ତି । 22 ସେ ଏହା କହିବାରୁ ପଦାତିକମାନଙ୍କ ମଧ୍ୟରୁ ପାଖରେ ଠିଆ ହୋଇଥିବା ଜଣେ ଯୀଶୁଙ୍କୁ ଚାପୁଡ଼ା ମାରି କହିଲା, ତୁ ମହାଯାଜକଙ୍କୁ ଏପରି ଉତ୍ତର ଦେଉଅଛୁ ? 23 ଯୀଶୁ ତାକୁ ଉତ୍ତର ଦେଲେ, ଯଦି ମୁଁ ମନ୍ଦ କହିଲି, ତାହାହେଲେ ମନ୍ଦର ପ୍ରମାଣ ଦିଅ; କିନ୍ତୁ ଯଦି ଭଲ କହିଲି, ତାହାହେଲେ କାହିଁକି ମୋତେ ମାରୁଅଛ ? 24 ସେଥିରେ ହାନାନ ତାହାଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ ।

ଯୋହନ 18: 19-24

ମହାସଭାରେ ଯୀଶୁଙ୍କ ବିଚାର53 ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି, ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ । 54 ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ସେକି ହେଉଥିଲେ । 55 ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ; 56 କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ । 57 ପରେ କେତେକ ଲୋକ ଉଠି ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ କହିବାକୁ ଲାଗିଲେ, 58 ଆମ୍ଭେମାନେ ଏହାକୁ ଏହି କଥା କହିବା ଶୁଣିଅଛୁ, ମୁଁ ଏହି ହସ୍ତକୃତ ମନ୍ଦିରକୁ ଭାଙ୍ଗି ତିନି ଦିନ ମଧ୍ୟରେ ଆଉ ଗୋଟିଏ ଅହସ୍ତକୃତ ମନ୍ଦିର ନିର୍ମାଣ କରିବି । 59 କିନ୍ତୁ ଏଥିରେ ମଧ୍ୟ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ । 60 ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିରେ କିଛି ଉତ୍ତର ଦେଉ ନାହଁ ? 61 କିନ୍ତୁ ସେ ନୀରବ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ। ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ କି ମଙ୍ଗଳମୟଙ୍କ ପୁତ୍ର ଖ୍ରୀଷ୍ଟ ? 62 ଯୀଶୁ କହିଲେ, ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ । 63 ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କ’ଣ ପ୍ରୟୋଜନ ? 64 ଆପଣମାନେ ତ ଈଶ୍ୱର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କ’ଣ ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ । 65 ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ ।

ମାର୍କ 14: 53-65

ପୀଲାତଙ୍କ ସମ୍ମୁଖରେ ଯୀଶୁ27ସକାଳ ହୁଅନ୍ତେ, ସମସ୍ତ ପ୍ରଧାନ ଯାଜକମାନେ ପୁଣି, ଲୋକମାନଙ୍କର ପ୍ରାଚୀନବର୍ଗ ଯୀଶୁଙ୍କୁ ବଧ କରିବା ପାଇଁ ତାହାଙ୍କର ବିରୁଦ୍ଧରେ ମନ୍ତ୍ରଣା କଲେ, ଆଉ ସେମାନେ ତାହାଙ୍କୁ ବାନ୍ଧି ନେଇଯାଇ ପୀଲାତ ନାମକ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ ।ଯିହୂଦାର ମୃତ୍ୟୁସେତେବେଳେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ଯିହୂଦା, ସେ ପ୍ରାଣ ଦଣ୍ଡାଜ୍ଞା ପାଇଅଛନ୍ତି, ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ସେହି ତିରିଶିଗୋଟି ରୌପ୍ୟମୁଦ୍ରା ଫେରାଇ ଆଣି କହିଲା, ମୁଁ ନିର୍ଦ୍ଦୋଷ ରକ୍ତ ସମର୍ପଣ କରି ପାପ କରିଅଛି । କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି ? ତୁ ତାହା ବୁଝ । ତହିଁରେ ସେ ରୌପ୍ୟମୁଦ୍ରାଗୁଡ଼ାକ ମନ୍ଦିର ଭିତରେ ଫୋପାଡ଼ିଦେଇ ଚାଲିଗଲା, ପୁଣି, ଯାଇ ଆପଣାକୁ ଫାଶୀ ଦେଲା । କିନ୍ତୁ ପ୍ରଧାନ ଯାଜକମାନେ ସେହି ରୌପ୍ୟମୁଦ୍ରାଗୁଡ଼ାକ ନେଇ କହିଲେ, ଏହା ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ, କାରଣ ଏ ତ ରକ୍ତର ମୁଲ୍ୟ । ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ । ଏଣୁ ଆଜି ପର୍ଯ୍ୟନ୍ତ ସେହି କ୍ଷେତ୍ରକୁ ରକ୍ତକ୍ଷେତ୍ର ବୋଲି କହନ୍ତି 

ମାଥିଉ 27: 1-8 |

ଯୀଶୁଙ୍କ ବିଚାର11 ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ, ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କ ରାଜା ? ଯୀଶୁ କହିଲେ, ଆପଣ କହୁଅଛନ୍ତି । 12 ଆଉ, ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ ସେ କୌଣସି ଉତ୍ତର ଦେଲେ ନାହିଁ । 13 ସେଥିରେ ପୀଲାତ ତାହାଙ୍କୁ କହିଲେ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଅଛନ୍ତି, ତାହା କି ଶୁଣୁ ନାହଁ ? 14 ମାତ୍ର ସେ ତାହାଙ୍କୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ, ସେଥିରେ ଶାସନକର୍ତ୍ତା ଅତ୍ୟନ୍ତ ଚମତ୍କୃତ ହେଲେ ।ଯୀଶୁଙ୍କୁ ପ୍ରାଣଦଣ୍ଡ15 କିନ୍ତୁ ପର୍ବ ସମୟରେ ଲୋକସମୂହର ଇଚ୍ଛାନୁସାରେ ଜଣେ ବନ୍ଦୀକୁ ସେମାନଙ୍କ ନିମନ୍ତେ ମୁକ୍ତ କରିବା ଶାସନକର୍ତ୍ତାଙ୍କର ରୀତି ଥିଲା । 16 ସେତେବେଳେ ସେମାନଙ୍କର ବାରବ୍ବା ନାମକ ଜଣେ ବିଖ୍ୟାତ ବନ୍ଦୀ ଥିଲା । 17 ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ ? 18 କାରଣ ସେମାନେ ଯେ ଇର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ଜାଣିଥିଲେ । 19 ଆଉ, ସେ ବିଚାରାସନରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ କହି ପଠାଇଲେ, ସେହି ଧାର୍ମିକ ଲୋକଙ୍କ କଥାରେ ତୁମ୍ଭେ ଆଦୌ ହାତ ଦିଅ ନାହିଁ, କାରଣ ତାହାଙ୍କ ଯୋଗୁଁ ମୁଁ ଆଜି ସ୍ୱପ୍ନରେ ବହୁତ କଷ୍ଟ ଭୋଗିଅଛି । 20 ମାତ୍ର ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବିନାଶ କରିବା ପାଇଁ ଲୋକସମୂହକୁ ମଣାଇଲେ । 21 ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କ ଇଚ୍ଛା ? ସେମାନେ କହିଲେ, ବାରବ୍ବାକୁ । 22 ପୀଲାତ ସେମାନଙ୍କୁ ପଚାରିଲେ, ତେବେ କାହାକୁ ଖ୍ରୀଷ୍ଟ କହନ୍ତି, ସେହି ଯୀଶୁ ପ୍ରତି କ’ଣ କରିବା ? ସେମାନେ ସମସ୍ତେ କହିଲେ, ସେ କ୍ରୁଶରେ ଚଢ଼ାଯାଉ । 23 ସେଥିରେ ପୀଲାତ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି ? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କରି କହିଲେ, ସେ କ୍ରୁଶରେ ଚଢ଼ାଯାଉ ।କ୍ରୁଶ ନିମନ୍ତେ ଯୀଶୁ ସମର୍ପିତ24 ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରି ପାରୁ ନାହାଁନ୍ତି, ବରଂ ଆହୁରି ଗଣ୍ଡଗୋଳ ହେଉଅଛି, ସେତେବେଳେ ସେ ପାଣି ନେଇ ଲୋକମାନଙ୍କ ଆଗରେ ହାତ ଧୋଇ କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ । 25 ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ । 26 ସେଥିରେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ ।

ମାଥିଉ 27: 11-26

ଯୀଶୁଙ୍କ ପ୍ରତି ପରିହାସ27 ଏହାପରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ନେଇଯାଇ ସମସ୍ତ ସୈନ୍ୟଦଳକୁ ତାହାଙ୍କ ନିକଟରେ ଏକତ୍ର କଲେ । 28 ପୁଣି, ସେମାନେ ତାହାଙ୍କ ବସ୍ତ୍ର କାଢ଼ିନେଇ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ, 29 ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ, ପୁଣି, ତାହାଙ୍କ ସମ୍ମୁଖରେ ଜାଣୁ ପାତି, ହେ ଯିହୂଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କୁ ପରିହାସ କଲେ । 30 ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ନେଇ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ । 31 ପୁଣି, ସେମାନେ ତାହାଙ୍କୁ ପରିହାସ କଲା ପରେ ସେହି ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ ।ଯୀଶୁଙ୍କ କ୍ରୁଶବିଦ୍ଧ32 ସେମାନେ ବାହାରିବା ସମୟରେ ଶିମୋନ ନାମକ ଜଣେ କୂରୀଣୀୟ ଲୋକକୁ ଦେଖି ଯୀଶୁଙ୍କ କ୍ରୁଶ ବହିବା ପାଇଁ ତାହାଙ୍କୁ ବାଧ୍ୟ କଲେ । 33 ଆଉ, ସେମାନେ ଗଲ୍‌ଗଥା ନାମକ ସ୍ଥାନ, ଅର୍ଥାତ୍ ଯାହାକୁ କପାଳସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ 34 ତାହାଙ୍କୁ ପିତ୍ତା ମିଶାଯାଇଥିବା ଦ୍ରାକ୍ଷାରସ ପାନ କରିବାକୁ ଦେଲେ, ମାତ୍ର ସେ ତାହା ଆସ୍ୱାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ । 35 ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ, 36 ପୁଣି, ସେଠାରେ ବସି ତାହାଙ୍କୁ ଜଗି ରହିଲେ । 37 ଆଉ, ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗପତ୍ର ଲେଖି ଲଗାଇଦେଲେ, ଏ ଯିହୂଦୀମାନଙ୍କର ରାଜା ଯୀଶୁ । 38 ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ । 39 ଆଉ, ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, 40 ରେ ମନ୍ଦିରଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲାଇ ଆ । 41 ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କ ସହିତ ପରିହାସ କରିବାକୁ ଲାଗିଲେ, 42 ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରି ପାରୁ ନାହିଁ । ସେ ପରା ଇସ୍ରାଏଲର ରାଜା, ସେ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ୱାସ କରିବା । 43 ସେ ଈଶ୍ୱରଙ୍କଠାରେ ବିଶ୍ୱାସ କରେ; ସେ ଯଦି ତାହାଠାରେ ସନ୍ତୁଷ୍ଟ, ତାହାହେଲେ ଏହିକ୍ଷଣି ତାହାକୁ ରକ୍ଷା କରନ୍ତୁ । ସେ ତ କହିଥିଲା, ମୁଁ ଈଶ୍ୱରଙ୍କ ପୁତ୍ର । 44 ପୁଣି, ଯେଉଁ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ ।ଯୀଶୁଙ୍କ ମୃତ୍ୟୁ45 ପରେ ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା । 46 ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ଏଲୀ, ଏଲୀ, ଲାମା ସବକ୍‌ଥାନୀ ? ଅର୍ଥାତ୍, ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ? 47 ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲିୟଙ୍କୁ ଡାକୁଅଛି । 48 ଆଉ ସେହିକ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ଗୋଟିଏ ସ୍ପଞ୍ଜ୍ ନେଇ ତାହା ଅମ୍ଳରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା । 49 କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲିୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା । 50 କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ । 51 ପୁଣି, ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା, 52 ପୁଣି, ସମାଧିସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲା, 53 ପୁଣି, ତାହାଙ୍କ ପୁନରୁତ୍ଥାନ ପରେ ସେମାନେ ସମାଧିରୁ ବାହାରି ପୁଣି, ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ । 54 ଶତସେନାପତି ଓ ତାହାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ ରହିଲେ, ସତ୍ୟ, ଏ ଈଶ୍ୱରଙ୍କ ପୁତ୍ର ଥିଲେ । 55 ଆଉ, ଅନେକ ସ୍ତ୍ରୀଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ; ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲୀରୁ ତାହାଙ୍କ ସାଙ୍ଗରେ ଆସିଥିଲେ; 56 ସେମାନଙ୍କ ମଧ୍ୟରେ ମଗ୍‌ଦଲୀନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମାତା ମରିୟମ, ପୁଣି, ଜେବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ ।

ମାଥିଉ 27: 27-56

ଯୀଶୁଙ୍କ ପାର୍ଶ୍ୱଦେଶରେ ବର୍ଚ୍ଛାଘାତ31 ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାରରେ କ୍ରୁଶ ଉପରେ ନ ରହେ , ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୂଦୀମାନେ ପୀଲାତଙ୍କୁ ଅନୁରୋଧ କଲେ । 32 ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ । 33 ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ, 34 କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍‍କ୍ଷଣାତ୍‍ ରକ୍ତ ଓ ଜଳ ବାହାର ହେଲା । 35 ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ୱାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି । 36 କାରଣ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେବା ନିମନ୍ତେ ଏସମସ୍ତ ବିଷୟ ଘଟିଲା, ତାହାଙ୍କର ଖଣ୍ଡେ ଅସ୍ଥି ଭଗ୍ନ ହେବ ନାହିଁ । 37 ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ ।

ଯୋହନ 19: 31-37

ଯୀଶୁଙ୍କ ସମାଧି57 ବେଳ ଗଡ଼ିଆସନ୍ତେ, ଯୋଷେଫ ନାମକ ହାରାମାଥୀୟାର ଜଣେ ଧନୀ ଲୋକ ଆସିଲେ, ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ । 58 ସେ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ । ସେଥିରେ ପୀଲାତ ତାହା ଦେବାକୁ ଆଜ୍ଞା କଲେ । 59 ଯୋଷେଫ ଶରୀରଟି ନେଇ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, 60 ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ, ସେଥିମଧ୍ୟରେ ତାହା ଥୋଇଲେ, ଆଉ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ଗଡ଼ାଇଦେଇ ଚାଲିଗଲେ । 61 ମଗ୍‌ଦଲୀନୀ ମରିୟମ ଓ ଅନ୍ୟ ମରିୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ରହିଲେ ।

ମାଥିଉ 27: 57-61