ସୃଷ୍ଟିର ବିବରଣ
1 ଆଦ୍ୟରେ ପରମେଶ୍ୱର ସ୍ୱର୍ଗସମୂହ ଓ ପୃଥିବୀକୁ ସୃଷ୍ଟି କଲେ । 2 ପୃଥିବୀ ନିର୍ଜ୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା; ପୁଣି, ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ । 3 ଅନନ୍ତର ପରମେଶ୍ୱର କହିଲେ, “ଦୀପ୍ତି ହେଉ,” ତହିଁରେ ଦୀପ୍ତି ହେଲା । 4 ଆଉ ପରମେଶ୍ୱର ଦୀପ୍ତିକୁ ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକୁ ଭିନ୍ନ କଲେ । 5 ପୁଣି, ପରମେଶ୍ୱର ଦୀପ୍ତିର ନାମ ଦିବସ ଓ ଅନ୍ଧକାରର ନାମ ରାତ୍ରି ଦେଲେ । ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପ୍ରଥମ ଦିବସ ହେଲା । 6 ଅନନ୍ତର ପରମେଶ୍ୱର କହିଲେ, “ଜଳ ମଧ୍ୟରେ ଶୂନ୍ୟ ଜାତ ହୋଇ ଜଳକୁ ଦୁଇ ଭାଗରେ ଭିନ୍ନ କରୁ ।” 7 ଏହିରୂପେ ପରମେଶ୍ୱର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଊର୍ଦ୍ଧ୍ୱସ୍ଥ ଜଳରୁ ଶୂନ୍ୟର ଅଧଃସ୍ଥ ଜଳକୁ ଭିନ୍ନ କଲେ; ତହିଁରେ ସେହିରୂପ ହେଲା । 8 ଆଉ ପରମେଶ୍ୱର ସେହି ଶୂନ୍ୟର ନାମ ଆକାଶମଣ୍ଡଳ ଦେଲେ । ପୁଣି, ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଦ୍ୱିତୀୟ ଦିବସ ହେଲା । 9 ଅନନ୍ତର ପରମେଶ୍ୱର କହିଲେ, “ଆକାଶମଣ୍ଡଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ,” ତହିଁରେ ସେହିରୂପ ହେଲା । 10 ପୁଣି, ପରମେଶ୍ୱର ସ୍ଥଳର ନାମ ପୃଥିବୀ ଓ ଜଳରାଶିର ନାମ ସମୁଦ୍ର ଦେଲେ; ଆଉ ପରମେଶ୍ୱର ତାହା ଉତ୍ତମ ଦେଖିଲେ । 11 ଏଉତ୍ତାରୁ ପରମେଶ୍ୱର କହିଲେ, “ପୃଥିବୀ ତୃଣ ଓ ସବୀଜ ଶାକ ଓ ବୀଜସମ୍ବଳିତ ସ୍ୱ ସ୍ୱ ଜାତି ଅନୁଯାୟୀ ଫଳୋତ୍ପାଦକ ଫଳବୃକ୍ଷ ଭୂମି ଉପରେ ଉତ୍ପନ୍ନ କରୁ,” ତହିଁରେ ସେପରି ହେଲା । 12 ଅର୍ଥାତ୍, ପୃଥିବୀ ତୃଣ ଓ ସ୍ୱ ସ୍ୱ ଜାତି ଅନୁସାରେ ବୀଜଉତ୍ପାଦକ ଶାକ ଓ ସ୍ୱ ସ୍ୱ ଜାତି ଅନୁସାରେ ସବୀଜ ଫଳୋତ୍ପାଦକ ବୃକ୍ଷ ଉତ୍ପନ୍ନ କଲା; ପୁଣି, ପରମେଶ୍ୱର ତାହା ଉତ୍ତମ ଦେଖିଲେ । 13 ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା । 14 ଅନନ୍ତର ପରମେଶ୍ୱର କହିଲେ, “ରାତ୍ରିରୁ ଦିବସକୁ ପୃଥକ୍ କରିବା ନିମନ୍ତେ ଆକାଶମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ; ପୁଣି, ସେ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ । 15 ଆଉ ପୃଥିବୀରେ ଆଲୁଅ ଦେବା ପାଇଁ ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ଥାଉନ୍ତୁ,” ତହିଁରେ ସେପରି ହେଲା । 16 ଏହି ପ୍ରକାରେ ପରମେଶ୍ୱର ଦିବସରେ କର୍ତ୍ତୃତ୍ଵ କରିବାକୁ ଏକ ମହାଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ଵ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତି, ଏହି ଦୁଇ ମହାଜ୍ୟୋତି, ଆଉ ମଧ୍ୟ ତାରାଗଣ ନିର୍ମାଣ କଲେ । 17 ତହୁଁ ପୃଥିବୀରେ ଦୀପ୍ତି ଦେବା ପାଇଁ ଓ ଦିବା ଓ ରାତ୍ରି ଉପରେ କର୍ତ୍ତୃତ୍ୱ କରିବା ପାଇଁ, 18 ଆଉ ଦୀପ୍ତିକି ଅନ୍ଧକାରରୁ ପୃଥକ୍ କରିବା ପାଇଁ, ପରମେଶ୍ୱର ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ସ୍ଥାପନ କଲେ; ଆଉ ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ । 19 ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଚତୁର୍ଥ ଦିବସ ହେଲା । 20 ଏଥିଉତ୍ତାରୁ ପରମେଶ୍ୱର କହିଲେ, “ଜଳ ବହୁଳ ରୂପେ ଜଙ୍ଗମ ପ୍ରାଣୀବର୍ଗରେ ପ୍ରାଣୀମୟ ହେଉ ଓ ପୃଥିବୀର ଉପରିସ୍ଥ ଆକାଶମଣ୍ଡଳରେ ପକ୍ଷୀଗଣ ଉଡ଼ନ୍ତୁ ।” 21 ଆଉ ପରମେଶ୍ୱର ବୃହତ ତିମିଙ୍ଗିଳ ପ୍ରଭୃତି ଓ ସ୍ୱ ସ୍ୱ ଜାତି ଅନୁସାରେ ବହୁଳ ରୂପେ ଜଳଜ ଜଙ୍ଗମ ପ୍ରାଣୀବର୍ଗ ଓ ସ୍ୱ ସ୍ୱ ଜାତି ଅନୁସାରେ ପକ୍ଷୀଗଣର ସୃଷ୍ଟି କଲେ । ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ । 22 ପୁଣି, ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରି କହିଲେ, “ପ୍ରଜାବନ୍ତ ଓ ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର, ଆଉ ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହେଉନ୍ତୁ ।” 23 ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପଞ୍ଚମ ଦିବସ ହେଲା । 24 ଅନନ୍ତର ପରମେଶ୍ୱର କହିଲେ, “ପୃଥିବୀରେ ସ୍ୱ ସ୍ୱ ଜାତି ଅନୁସାରେ ପ୍ରାଣୀବର୍ଗ, , ଗ୍ରାମ୍ୟପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ୱ ସ୍ୱ ଜାତି ଅନୁସାରେ ପୃଥିବୀର ବନ୍ୟପଶୁଗଣ ଉତ୍ପନ୍ନ ହେଉନ୍ତୁ,” ତହିଁରେ ସେପରି ହେଲା । 25 ଏହି ରୂପେ ପରମେଶ୍ୱର ସ୍ୱ ସ୍ୱ ଜାତି ଅନୁଯାୟୀ ବନ୍ୟପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ଗ୍ରାମ୍ୟପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୋଗାମୀ ଜନ୍ତୁ ନିର୍ମାଣ କଲେ; ଆଉ ପରମେଶ୍ୱର ସେ ସମସ୍ତ ଉତ୍ତମ ଦେଖିଲେ । 26 ଏଥିଉତ୍ତାରୁ ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କରୁ । ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ ।” 27 ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ । 28 ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି, ପରମେଶ୍ୱର ସେମାନଙ୍କୁ କହିଲେ, “ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି, ପୃଥିବୀକି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ଵ କର ।” 29 ପରମେଶ୍ୱର ଆହୁରି କହିଲେ, “ଦେଖ, ଆମ୍ଭେ ଭୂମିସ୍ଥ ସବୁ ସବୀଜ ଶାକ ଓ ସବୁ ସବୀଜ ଫଳଦାୟକ ବୃକ୍ଷ ତୁମ୍ଭମାନଙ୍କୁ ଦେଲୁ, ତାହା ତୁମ୍ଭମାନଙ୍କର ଖାଦ୍ୟ ହେବ । 30 ପୁଣି, ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଉରୋଗାମୀ ଜନ୍ତୁ, ଏହି ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ହରିତ ଶାକ ଦେଲୁ,” ତହିଁରେ ସେପରି ହେଲା । 31 ପରମେଶ୍ୱର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ ହେଲା । ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା ।
21 ଏହି ରୂପେ ଆକାଶମଣ୍ଡଳ ଓ ପୃଥିବୀର, ପୁଣି, ସେହି ଦୁଇସ୍ଥିତ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ ହେଲା । 2 ପରମେଶ୍ୱର ସପ୍ତମ ଦିନରେ ଆପଣାର କାର୍ଯ୍ୟ ସମାପ୍ତ କରି ସେହି ସପ୍ତମ ଦିନରେ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ । 3 ପୁଣି, ପରମେଶ୍ୱର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ । ଯେହେତୁ ସେହି ଦିନରେ ପରମେଶ୍ୱର ସୃଷ୍ଟିକରଣରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ ।ଏଦନ ଉଦ୍ୟାନ4 ସୃଷ୍ଟିକାଳରେ ଆକାଶମଣ୍ଡଳ ଓ ପୃଥିବୀର ବିବରଣ ଏହି । ଯେଉଁ ସମୟରେ ସଦାପ୍ରଭୁ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, 5 ସେ ସମୟରେ କ୍ଷେତ୍ରରେ କୌଣସି ତୃଣ ନ ଥିଲା ଓ ଭୂମିରେ କୌଣସି ଶାକ ନ ଥିଲା; ଯେହେତୁ ସଦାପ୍ରଭୁ ପରମେଶ୍ୱର ପୃଥିବୀରେ ବୃଷ୍ଟି କରାଇ ନ ଥିଲେ, ଆଉ କୃଷିକର୍ମ କରିବାକୁ ମନୁଷ୍ୟ ହିଁ ନ ଥିଲା । 6 ପୁଣି, ପୃଥିବୀରୁ ଏକ କୁହୁଡ଼ି ଉଠି ସମସ୍ତ ଭୂମିରେ ଜଳ ସିଞ୍ଚିଲା । 7 ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା । 8 ଆଉ ସଦାପ୍ରଭୁ ପରମେଶ୍ୱର ପୂର୍ବଦିଗସ୍ଥ ଏଦନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ୱନିର୍ମିତ ମନୁଷ୍ୟକୁ ରଖିଲେ । 9 ସଦାପ୍ରଭୁ ପରମେଶ୍ୱର ସେହି ଭୂମିରୁ ନାନାଜାତୀୟ ସୁଦୃଶ୍ୟ ଓ ସୁଖାଦ୍ୟ ବୃକ୍ଷ, ପୁଣି, ସେହି ଉଦ୍ୟାନର ମଧ୍ୟସ୍ଥାନରେ ଅମୃତ ବୃକ୍ଷ ଓ ସଦସତ୍ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କଲେ । 10 ଉଦ୍ୟାନରେ ଜଳସେଚନାର୍ଥେ ଏଦନରୁ ଗୋଟିଏ ନଦୀ ନିର୍ଗତ ହୋଇ ସେହି ସ୍ଥାନରୁ ଭିନ୍ନ ଭିନ୍ନ ଚାରିଧାର ହେଲା । 11 ପ୍ରଥମ ନଦୀର ନାମ ପିଶୋନ; ତାହା ସ୍ୱର୍ଣ୍ଣୋତ୍ପାଦକ ହବିଲା ଦେଶସମୂହକୁ ବେଷ୍ଟନ କରେ । 12 ସେହି ଦେଶର ସୁବର୍ଣ୍ଣ ଉତ୍ତମ, ପୁଣି, ସେଠାରେ ମୁକ୍ତା ଓ ଗୋମେଦକ ମଣି ଜନ୍ମଇ । 13 ଦ୍ୱିତୀୟ ନଦୀର ନାମ ଗୀହୋନ; ଏହା ସମସ୍ତ କୁଶ ଦେଶ ବେଷ୍ଟନ କରେ । 14 ତୃତୀୟ ନଦୀର ନାମ ହିଦ୍ଦେକଲ, ଏହା ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ । ଚତୁର୍ଥ ନଦୀର ନାମ ଫରାତ୍ । 15 ପୁଣି, ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନକୁ ସୁସଜ୍ଜିତ ଓ ରକ୍ଷା କରିବା ପାଇଁ ନିଯୁକ୍ତ କଲେ । 16 ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, “ତୁମ୍ଭେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରି ପାର, 17 ମାତ୍ର, ସଦସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ ।” 18 ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, “ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା ।” 19 ଆଉ ସଦାପ୍ରଭୁ ପରମେଶ୍ୱର ଭୂମିରୁ ବିଲର ପଶୁଗଣ ଓ ଖେଚର ପକ୍ଷୀଗଣ ନିର୍ମାଣ କରି ଆଦମ ସେମାନଙ୍କୁ କି ନାମ ଦେବେ, ଏହା ଜାଣିବା ପାଇଁ ସମସ୍ତଙ୍କୁ ତାଙ୍କ ନିକଟକୁ ଆଣିଲେ । ତହିଁରେ ଆଦମ ସେହି ପ୍ରାଣୀବର୍ଗ ମଧ୍ୟରୁ ଯାହାକୁ ଯେଉଁ ନାମ ଦେଲେ, ତାହାର ସେହି ନାମ ହେଲା । 20 ଏହି ରୂପେ ଆଦମ ପଶୁ, ଖେଚର ପକ୍ଷୀ ଓ ବିଲର ପ୍ରତ୍ୟେକ ଜନ୍ତୁର ନାମ ଦେଲେ; ମାତ୍ର, ମନୁଷ୍ୟ ନିମନ୍ତେ ତାଙ୍କର ଅନୁରୂପ ସହକାରିଣୀ ଦେଖାଗଲା ନାହିଁ । 21 ଅନନ୍ତର ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଘୋର ନିଦ୍ରାଗ୍ରସ୍ତ କରାଇ ସେହି ନିଦ୍ରା ସମୟରେ ତାଙ୍କର ଖଣ୍ଡେ ପଞ୍ଜରା ନେଇ ମାଂସ ଦ୍ୱାରା ସେହି ସ୍ଥାନ ପୂର୍ଣ୍ଣ କଲେ । 22 ଆଉ ସଦାପ୍ରଭୁ ପରମେଶ୍ୱର ଆଦମଙ୍କଠାରୁ ଯେଉଁ ପଞ୍ଜରା ଖଣ୍ଡିକ ନେଲେ, ତଦ୍ଦ୍ୱାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ । 23 ତହୁଁ ଆଦମ କହିଲେ, “ଏଥର ହେଲା; ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ; ଏହାର ନାମ ନାରୀ, ଯେହେତୁ ଏ ନରଠାରୁ ନୀତା ହୋଇଅଛି ।” 24 ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ । 25 ଆଦମ ଓ ତାଙ୍କର ଭାର୍ଯ୍ୟା, ଦୁହେଁ ଉଲଙ୍ଗ ଥିଲେ ହେଁ ସେମାନଙ୍କର ଲଜ୍ଜାବୋଧ ନ ଥିଲା ।