Skip to content
Home » ଯାତ୍ରା 12 – ନିସ୍ତାରପର୍ବ |

ଯାତ୍ରା 12 – ନିସ୍ତାରପର୍ବ |

ଅନନ୍ତର ମିସର ଦେଶରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, ” ଏହି ମାସ ତୁମ୍ଭମାନଙ୍କର ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ ହେବ । ତୁମ୍ଭେମାନେ ଇସ୍ରାଏଲୀୟ ସମଗ୍ର ମଣ୍ଡଳୀକୁ ଏହି କଥା କୁହ, ଏହି ମାସର ଦଶମ ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତୃଗୃହାନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ଏକ ମେଷଶାବକ ନେବ । ଆଉ, ଗୋଟିଏ ମେଷଶାବକ ନେବା ନିମନ୍ତେ ଯେବେ କୌଣସି ପରିଜନ ଅଳ୍ପ ହେବ, ତେବେ ସେ ଓ ତାହାର ଗୃହ ନିକଟବର୍ତ୍ତୀ ପ୍ରତିବାସୀ, ପ୍ରାଣୀଗଣର ସଂଖ୍ୟାନୁସାରେ ଏକ ମେଷଶାବକ ନେବେ; ତୁମ୍ଭେମାନେ ପ୍ରତ୍ୟେକ ଜଣର ଭୋଜନ-ଶକ୍ତି ଅନୁସାରେ ମେଷଶାବକର ଅଟକଳ କରିବ । ତୁମ୍ଭେମାନେ ମେଷପଲ ବା ଛାଗପଲ ମଧ୍ୟରୁ ଶାବକ ନେବ; ତାହା ନିର୍ଦ୍ଦୋଷ, ଏକ ବର୍ଷୀୟ ଓ ପୁଂଶାବକ ହେବ; ସେହି ମାସର ଚତୁର୍ଦ୍ଦଶ ଦିନଯାଏ ତାକୁ ବନ୍ଦ କରି ରଖିବ; ଅନନ୍ତର ଇସ୍ରାଏଲ-ମଣ୍ଡଳୀର ସମସ୍ତ ସମାଜ ସନ୍ଧ୍ୟା-କାଳରେ ସେହି ଶାବକକୁ ବଧ କରିବେ । ପୁଣି, ଲୋକମାନେ ତାହାର କିଛି ରକ୍ତ ନେଇ ଯେଉଁ ଯେଉଁ ଗୃହ ମଧ୍ୟରେ ମେଷ ଭୋଜନ କରିବେ, ସେହି ସେହି ଗୃହ ଦ୍ୱାରର ଦୁଇ ବାଜୁବନ୍ଧ ଓ କପାଳୀ ଉପରେ ତାହା ଲଗାଇବେ । ଆଉ ସେହି ରାତ୍ରିରେ ତାହାର ମାଂସ ଭୋଜନ କରିବେ; ଅଗ୍ନିରେ ଦଗ୍‍ଧ କରି ତାଡ଼ିଶୂନ୍ୟ ରୋଟୀ ଓ ପିତା ଶାକ ସହିତ ତାହା ଭୋଜନ କରିବେ । ତୁମ୍ଭେମାନେ ସେହି ମାଂସ ଅପକ୍ୱ କିମ୍ବା ଜଳରେ ସିଦ୍ଧ କରି ଭୋଜନ କରିବ ନାହିଁ, ମାତ୍ର ଅଗ୍ନିରେ ତାହାର ମୁଣ୍ଡ ଓ ଜଙ୍ଘ ଶରୀର ସମେତ ଦଗ୍‍ଧ କରି ଭୋଜନ କରିବ । 10 ପୁଣି, ପ୍ରଭାତ ଯାଏ ତହିଁର କିଛି ରଖିବ ନାହିଁ; ଯେବେ ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତାହା ଅଗ୍ନିରେ ଭସ୍ମସାତ୍‍ କରିବ । 11 ଏହି ପ୍ରକାରେ ତୁମ୍ଭେମାନେ ତାହା ଭୋଜନ କରିବ, ଅର୍ଥାତ୍‍ କଟି ବନ୍ଧନ କରି ପାଦରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଚଞ୍ଚଳ ତାହା ଭୋଜନ କରିବ; ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ । 12 ଯେହେତୁ ଆମ୍ଭେ ଆଜି ରାତ୍ରି ମିସର ଦେଶର ମଧ୍ୟ ଦେଇ ଯାଇ ମିସର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମଜାତକୁ ସଂହାର କରିବା; ପୁଣି, ମିସ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା; ଆମ୍ଭେ ସଦାପ୍ରଭୁ । 13 ଏଣୁକରି ତୁମ୍ଭେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ; ଆଉ ଆମ୍ଭେ ମିସର ଦେଶକୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ, ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା, ପୁଣି, ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ । 14 ଆଉ ସେହି ଦିନ ତୁମ୍ଭମାନଙ୍କର ସ୍ମରଣୀୟ ହେବ, ପୁଣି, ତୁମ୍ଭେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ; ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ପର୍ବ ପାଳନ କରିବ ।ତାଡ଼ିଶୂନ୍ୟ ରୋଟୀ ପର୍ବ15 ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୋଟୀ ଖାଇବ; ବିଶେଷତଃ ପ୍ରଥମ ଦିନ ଆପଣା ଆପଣା ଗୃହରୁ ତାଡ଼ି ଦୂର କରିବ, କାରଣ ଯେଉଁ ଜନ ପ୍ରଥମ ଦିନଠାରୁ ସପ୍ତମ ଦିନ ପର୍ଯ୍ୟନ୍ତ ତାଡ଼ି ମିଶ୍ରିତ ରୋଟୀ ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ । 16 ଆଉ ପ୍ରଥମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ, ପୁଣି, ସପ୍ତମ ଦିନରେ ମଧ୍ୟ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ଆଉ ସେହି ଦୁଇ ଦିନରେ ପ୍ରତ୍ୟେକ ପ୍ରାଣୀର ଖାଦ୍ୟର ଆୟୋଜନ ବିନୁ ଆଉ କୌଣସି କର୍ମ କରାଯିବ ନାହିଁ, କେବଳ ସେହି କର୍ମ ତୁମ୍ଭେମାନେ କରି ପାରିବ । 17 ଏହି ପ୍ରକାରେ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କରିବ, କାରଣ ସେହି ଦିନରେ ହିଁ ଆମ୍ଭେ ତୁମ୍ଭମାନଙ୍କର ସୈନ୍ୟମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା; ଏଣୁ ତୁମ୍ଭେମାନେ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ଦିନ ପାଳନ କରିବ । 18 ତୁମ୍ଭେମାନେ ପ୍ରଥମ ମାସର ଚଉଦ ଦିନର ସନ୍ଧ୍ୟା ସମୟରୁ ଏକୋଇଶ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ । 19 ସପ୍ତାହ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗୃହରେ ଲେଶମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ୱଦେଶୀ ଯେଉଁ ଜନ ଏଥିମଧ୍ୟରେ ତାଡ଼ି ମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ-ମଣ୍ଡଳୀରୁ ଉଚ୍ଛିନ୍ନ ହେବ । 20 ତୁମ୍ଭେମାନେ ତାଡ଼ି ମିଶ୍ରିତ କୌଣସି ଦ୍ରବ୍ୟ ଖାଇବ ନାହିଁ, ତୁମ୍ଭେମାନେ ଆପଣା ଆପଣା ସମସ୍ତ ବାସ ସ୍ଥାନରେ ତାଡ଼ିଶୂନ୍ୟ ରୋଟୀ ଖାଇବ”।ପ୍ରଥମ ନିସ୍ତାର ପର୍ବ21 ସେତେବେଳେ ମୋଶା ଇସ୍ରାଏଲର ସମସ୍ତ ପ୍ରାଚୀନ ଲୋକଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଆପଣା ଆପଣା ପରିଜନାନୁସାରେ ଏକ ଏକ ମେଷଶାବକ ବାହାର କରି ନେଇ ନିସ୍ତାର ପର୍ବୀୟ ବଳି ବଧ କର । 22 ପୁଣି, ବିଡ଼ାଏ ଏସୋବ ଘେନି ପାତ୍ରସ୍ଥିତ ରକ୍ତରେ ବୁଡ଼ାଇ ଦ୍ୱାରର କପାଳୀ ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ; ପୁଣି, ପ୍ରଭାତ ପର୍ଯ୍ୟନ୍ତ ତୁମ୍ଭମାନଙ୍କର କେହି ଗୃହଦ୍ୱାରରେ ବାହାରକୁ ନ ଯାଉ। 23 ଯେହେତୁ ସଦାପ୍ରଭୁ ମିସ୍ରୀୟମାନଙ୍କୁ ଆଘାତ କରିବାକୁ ସେମାନଙ୍କ ମଧ୍ୟ ଦେଇ ଯିବେ; ତହିଁରେ ଦ୍ୱାରର କପାଳୀ ଓ ଦୁଇ ବାଜୁବନ୍ଧ ଉପରେ ସେହି ରକ୍ତ ଦେଖିଲେ, ସଦାପ୍ରଭୁ ସେହି ଦ୍ୱାର ଛାଡ଼ି ଆଗକୁ ଯିବେ, ତୁମ୍ଭମାନଙ୍କ ଗୃହରେ ସଂହାରକକୁ ପ୍ରବେଶ କରି ଆଘାତ କରିବାକୁ ଦେବେ ନାହିଁ । 24 ପୁଣି, ତୁମ୍ଭେମାନେ ଓ ଯୁଗାନୁକ୍ରମେ ତୁମ୍ଭମାନଙ୍କ ସନ୍ତାନମାନେ ବିଧିମତେ ଏହି ରୀତି ପାଳନ କରିବ । 25 ଆଉ ସଦାପ୍ରଭୁ ଆପଣା ପ୍ରତିଜ୍ଞାନୁସାରେ; ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ସେଠାରେ ପ୍ରବେଶ କଲେ, ଏହି ସେବା ସାଧନ କରିବ । 26 ପୁଣି, ତୁମ୍ଭମାନଙ୍କ ଏହି ସେବାର ଅଭିପ୍ରାୟ କଅଣ ? 27 ଏହା ତୁମ୍ଭମାନଙ୍କ ସନ୍ତାନମାନେ ପଚାରିଲେ, ତୁମ୍ଭେମାନେ କହିବ, ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବୀୟ ବଳିଦାନ; କାରଣ ମିସ୍ରୀୟମାନଙ୍କୁ ଆଘାତ କରିବା ବେଳେ ସେ ମିସରରେ ପ୍ରବାସୀ ଇସ୍ରାଏଲୀୟ ସନ୍ତାନଗଣର ଗୃହ ସବୁ ଛାଡ଼ି ଆଗକୁ ଯାଇ ଆମ୍ଭମାନଙ୍କ ଗୃହ ରକ୍ଷା କରିଥିଲେ”। ସେତେବେଳେ ଲୋକମାନେ ମସ୍ତକ ନତ କରି ପ୍ରଣାମ କଲେ । 28 ତହୁଁ ଇସ୍ରାଏଲୀୟ ସନ୍ତାନମାନେ ଯାଇ ସେପରି କଲେ; ଆଉ ସେମାନେ ମୋଶା ଓ ହାରୋଣଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ ।ଦଶମ ଦଣ୍ଡ-ପ୍ରଥମଜାତର ମୃତ୍ୟୁ29 ଅନନ୍ତର ଅର୍ଦ୍ଧ ରାତ୍ର ସମୟରେ ସଦାପ୍ରଭୁ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତ ସନ୍ତାନଠାରୁ କାରାକୂପସ୍ଥ ବନ୍ଦୀର ପ୍ରଥମଜାତ ସନ୍ତାନ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ଓ ପଶୁମାନଙ୍କ ପ୍ରଥମଜାତ ଶାବକଗଣକୁ ଆଘାତ କଲେ