bible passage

ବାବିଲ ଗଡ଼11

ପୂର୍ବେ ସମୁଦାୟ ପୃଥିବୀରେ ଏକ ଭାଷା ଓ ଏକ ରୂପ ଉଚ୍ଚାରଣ ଥିଲା । ଆଉ ଘଟଣା କ୍ରମେ ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ଶିନୀୟର ଦେଶରେ ଏକ ପ୍ରାନ୍ତର ପାଇ ସେଠାରେ ବସତି କଲେ । ଅନନ୍ତର ସେମାନେ ପରସ୍ପର କହିଲେ, “ଆସ, ଆମ୍ଭେମାନେ ଇଟା ବନାଇ ଉତ୍ତମ ରୂପେ ପୋଡ଼ି ଦେଉ ।” ତହିଁରେ ଇଟା ସେମାନଙ୍କର ପ୍ରସ୍ତର ସ୍ୱରୂପ ଓ ମାଟିଆ ତେଲ ସେମାନଙ୍କର ଚୂନ ସ୍ୱରୂପ ହେଲା । ପୁଣି, ସେମାନେ କହିଲେ, “ଆସ, ଆମ୍ଭେମାନେ ଆପଣାମାନଙ୍କ ପାଇଁ ଗୋଟିଏ ନଗର ଓ ଗଗନସ୍ପର୍ଶୀ ଏକ ଉଚ୍ଚ ଗଡ଼ ନିର୍ମାଣ କରୁ; ତହିଁରେ ଆମ୍ଭମାନଙ୍କର ନାମ ବିଖ୍ୟାତ ହେବ, ପୁଣି, ଆମ୍ଭେମାନେ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ ହେବା ନାହିଁ ।” ଅନନ୍ତର ମନୁଷ୍ୟସନ୍ତାନମାନେ ଯେଉଁ ନଗର ଓ ଗଡ଼ ନିର୍ମାଣ କରୁଥିଲେ, ତାହା ଦେଖିବାକୁ ସଦାପ୍ରଭୁ ଓହ୍ଲାଇ ଆସିଲେ । ପୁଣି, ସଦାପ୍ରଭୁ କହିଲେ, “ଦେଖ, ଏହି ଲୋକ ସମସ୍ତେ ଏକ ଓ ଏମାନଙ୍କର ଭାଷା ହିଁ ଏକ, ଆଉ ଏବେ ଏମାନେ ଏହି କାର୍ଯ୍ୟରେ ପ୍ରବୃତ୍ତ ହେଉଅଛନ୍ତି; ଏଥିଉତ୍ତାରୁ ଯାହା ଯାହା କରିବାକୁ ମନସ୍ଥ କରନ୍ତି, ତହିଁରୁ ନିବାରିତ ହେବେ ନାହିଁ । ଏଣୁକରି ସେମାନେ ଯେପରି ପରସ୍ପର ଭାଷା ବୁଝି ନ ପାରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ଓହ୍ଲାଇ ଯାଇ ସେ ସ୍ଥାନରେ ସେମାନଙ୍କ ଭାଷାର ଭେଦ ଜନ୍ମାଉ “। ଏହିରୂପେ ସଦାପ୍ରଭୁ ସେସ୍ଥାନରୁ ସେମାନଙ୍କୁ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ କଲେ; ଏଣୁ ସେମାନେ ନଗର ନିର୍ମାଣ କରିବାରୁ ନିବୃତ୍ତ ହେଲେ । ଏନିମନ୍ତେ ସେହି ନଗରର ନାମ ବାବିଲ ହେଲା; ଯେହେତୁ ସଦାପ୍ରଭୁ ସେ ସ୍ଥାନରେ ସମସ୍ତ ପୃଥିବୀର ଭାଷାଭେଦ ଜନ୍ମାଇଲେ, ପୁଣି, ସେ ସ୍ଥାନରୁ ସେମାନଙ୍କୁ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ କଲେ ।

ଆଦି ଅଧ୍ୟାୟ 10

ନୋହଙ୍କ ବଂଶାବଳୀ10ଶେମ, ହାମ, ଯେଫତ୍‍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି । ଜଳପ୍ଳାବନ ଉତ୍ତାରେ ସେମାନଙ୍କର ଏହି ସମସ୍ତ ସନ୍ତା

ନ ଜନ୍ମିଥିଲେ

 ଗୋମର ଓ ମାଗୋଗ୍‍ ଓ ମାଦୟ ଓ ଯବନ ଓ ତୂବଲ ଓ ମେଶକ୍‍ ଓ ତିରସ, ଏମାନେ ଯେଫତ୍‍ର ସନ୍ତାନ । ଅସ୍କିନସ୍‍ ଓ ରୀଫତ୍‍ ଓ ତୋଗର୍ମ, ଏମାନେ ଗୋମରର ସନ୍ତାନ । ପୁଣି, ଇଲୀଶା ଓ ତର୍ଶୀଶ ଓ କିତ୍ତୀମ ଓ ଦୋଦାନୀମ, ଏମାନେ ଯବନର ସନ୍ତାନ । ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ୱ ସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ । କୂଶ ଓ ମିସର ଓ ପୂଟ୍‍ ଓ କିଣାନ, ଏମାନେ ହାମର ସନ୍ତାନ । ସବା ଓ ହବୀଲା ଓ ସପ୍ତା ଓ ରୟମା ଓ ସପ୍ତକା, ଏମାନେ କୂଶର ସନ୍ତାନ । ଶିବା ଓ ଦାଦାନ, ଏମାନେ ରୟମାର ସନ୍ତାନ । ନିମ୍ରୋଦ୍‍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା । ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, “ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍‍ ତୁଲ୍ୟ ।” 10 ପୁଣି, ଶିନୀୟର ଦେଶରେ ବାବିଲ ଓ ଏରକ ଓ ଅକ୍‍କଦ୍‍ ଓ କଲନୀ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା । 11 ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ଓ ରହୋବୋତ୍‍ ପୁରୀ ଓ କେଲହ, 12 ପୁଣି, ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ୍‍ ନଗର ସ୍ଥାପନ କଲା; ଏହି ରେଷନ୍‍ ମହାନଗର । 13 ପୁଣି, ଲୁଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୁହୀୟ 14 ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍‍ଲୁହୀୟ ଓ କପ୍ତୋରୀୟ, ଏମାନେ ମିସରର ସନ୍ତାନ । 15 ପୁଣି, କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍‍ 16 ଓ ଯିବୁଷୀୟ ଓ ଇମୋରୀୟ ଓ ଗୀର୍ଗାଶୀୟ 17 ଓ ହିବ୍ବୀୟ ଓ ଅର୍କୀୟ ଓ ସିନୀୟ 18 ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟ; ଅନନ୍ତର କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ । 19 ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି, ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ ସୀମା ଥିଲା । 20 ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ । 21 ଯେଫତ୍‍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍‍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା । 22 ଶେମର ଏହି ସବୁ ସନ୍ତାନ, ଏଲମ୍‍ ଓ ଅଶୂର ଓ ଅର୍ଫକ୍‍ଷଦ ଓ ଲୂଦ ଓ ଅରାମ୍‍ । 23 ଏହି ଅରାମର ସନ୍ତାନ ଊଷ୍‍ ଓ ହୂଲ ଓ ଗେଥର ଓ ମଶ୍‍ । 24 ପୁଣି, ଅର୍ଫକ୍‍ଷଦର ସନ୍ତାନ ଶେଲହ ଓ ଶେଲହର ସନ୍ତାନ ଏବର । 25 ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍‍ , କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍‍ । 26 ପୁଣି, ଯକ୍ତନ୍‍ର ପୁତ୍ର ଅଲମୋଦଦ ଓ ଶେଲପ୍‍ ଓ ହତ୍‍ସର୍ମାବତ୍‍ ଓ ଯେରହ 27 ଓ ହଦୋରାମ ଓ ଊଷଲ ଓ ଦିକ୍ଳ 28 ଓ ଓବଲ ଓ ଅବୀମାୟେଲ୍‍ ଓ ଶିବା 29 ଓ ଓଫୀର ଓ ହବୀଲା ଓ ଯୋବବ୍‍, ଏହି ସମସ୍ତ ଯକ୍ତନର ସନ୍ତାନ । 30 ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା । 31 ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ । 32 ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି, ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ ।

ଯୀଶୁଙ୍କ ପାର୍ବତ୍ୟ ଉପଦେଶ

ଲୋକମାନଙ୍କୁ ଦେଖି ଯୀଶୁ ପର୍ବତ ଚଢ଼ିଲେ, ପୁଣି, ବସିବା ପରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ ।

କେଉଁମାନେ ଧନ୍ୟ

ସେଥିରେ ସେ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ,ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର ।ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ ।ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ ।ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ ।ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ ।ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ ।ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ ହେବେ ।10 ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର ।11 ଲୋକେ ଯେବେ ତୁମ୍ଭମାନଙ୍କୁ ମୋ’ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ । 12 ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ ।

ଲବଣ ଓ ଆଲୋକ

13 ତୁମ୍ଭେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ, ତେବେ ତାହା କାହିଁରେ ଲବଣାକ୍ତ ହେବ ? ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ । 14 ତୁମ୍ଭେମାନେ ଜଗତର ଜ୍ୟୋତିଃ। ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନ ପାରେ;15 କିବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ, ମାତ୍ର ଦୀପରୁଖା ଉପରେ ରଖନ୍ତି, ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକକୁ ଆଲୋକ ଦିଏ । 16 ସେହି ପ୍ରକାରେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ।

ମୋଶାଙ୍କ ବ୍ୟବସ୍ଥା ସଫଳ ନିମନ୍ତେ ଖ୍ରୀଷ୍ଟ

17 ମୁଁ ଯେ ମୋଶାଙ୍କ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବ ନାହିଁ; ଲୋପ କରିବାକୁ ଆସି ନାହିଁ ବରଂ ସଫଳ କରିବାକୁ ଆସିଅଛି । 18 କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ମୋଶାଙ୍କ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ ।19 ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ମାନେ ନାହିଁ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେ କେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ । 20 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ନ ହେଲେ ତୁମ୍ଭେମାନେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ ।

କ୍ରୋଧ

21 ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ନରହତ୍ୟା କର ନାହିଁ, ଆଉ ଯେ କେହି ନରହତ୍ୟା କରେ ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ । 22 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ । ପୁଣି, ଯେ କେହି ଆପଣା ଭାଇ କି ମୂର୍ଖ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ପାଷାଣ୍ଡ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ ।23 ଅତଏବ ଯଦି ବେଦି ନିକଟକୁ ତୁମ୍ଭେ ନିଜର ନୈବେଦ୍ୟ ଆଣୁଥିବା ସମୟରେ ତୁମ୍ଭ ବିରୁଦ୍ଧରେ ତୁମ୍ଭ ଭାଇର କୌଣସି କଥା ଅଛି ବୋଲି ସେଠାରେ ତୁମ୍ଭର ମନେ ପଡ଼େ, 24 ତାହାହେଲେ ସେହି ସ୍ଥାନରେ ବେଦି ସମ୍ମୁଖରେ ତୁମ୍ଭର ନୈବେଦ୍ୟ ଥୋଇଦେଇ ଚାଲିଯାଅ, ଆଗେ ନିଜ ଭାଇ ସାଙ୍ଗରେ ମିଳିତ ହୁଅ, ଆଉ ତାହା ପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର ।25 ତୁମ୍ଭର ବିବାଦୀ ସହିତ ବାଟରେ ଥିବା ସମୟରେ ଶୀଘ୍ର ତାହା ପ୍ରତି ମିଳନର ଭାବ ଦେଖାଅ, କାଳେ ବିବାଦୀ ତୁମ୍ଭକୁ ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ପଦାତିକ ହସ୍ତରେ ସମର୍ପଣ କରିବେ, ଆଉ ତୁମ୍ଭେ କାରାଗାରରେ ନିକ୍ଷିପ୍ତ ହେବ । 26 ମୁଁ ତୁମ୍ଭକୁ ସତ୍ୟ କହୁଅଛି, ତୁମ୍ଭେ ଶେଷ ପାହୁଲାଟି ନ ଶୁଝିବା ପର୍ଯ୍ୟନ୍ତ ସେ ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସି ପାରିବ ନାହିଁ ।

ବ୍ୟଭିଚାର

27 ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ବ୍ୟଭିଚାର କର ନାହିଁ । 28 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି ।29 ଆଉ ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ । 30 ପୁଣି, ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ ।

ଛାଡ଼ପତ୍ର

31 ଆହୁରି ଉକ୍ତ ଅଛି, ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାହାକୁ ଛାଡ଼ପତ୍ର ଦେଉ । 32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ; ଆଉ ଯେ କେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ ।

ଶପଥ

33 ପୁଣି, ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ତୁମ୍ଭେ ମିଥ୍ୟା ଶପଥ କର ନାହିଁ ମାତ୍ର ଆପଣା ଶପଥସବୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପାଳନ କରିବ । 34 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଦୌ ଶପଥ କର ନାହିଁ; ସ୍ୱର୍ଗର ଶପଥ କର ନାହିଁ, କାରଣ ତାହା ଈଶ୍ୱରଙ୍କ ସିଂହାସନ; 35 କିମ୍ବା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ;36 ଅବା ଆପଣା ମସ୍ତକର ଶପଥ କର ନାହିଁ, କାରଣ ତାହାର ଗୋଟିଏ କେଶ ଧଳା ବା କଳା କରିବାକୁ ତୁମ୍ଭର ଶକ୍ତି ନାହିଁ । 37 କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ; ଏଥିରୁ ଯାହା ଅଧିକ, ତାହା ମନ୍ଦରୁ ଜନ୍ମେ ।

ପ୍ରତିହିଂସା

38 ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ଚକ୍ଷୁର ପରିବର୍ତ୍ତେ ଚକ୍ଷୁ ଓ ଦନ୍ତର ପରିବର୍ତ୍ତେ ଦନ୍ତ; 39 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦୁଷ୍ଟର ପ୍ରତିରୋଧ କର ନାହିଁ, ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ ।40 ଆଉ କେହି ଯଦି ତୁମ୍ଭ ସହିତ ବିଚାରସ୍ଥାନରେ ବିବାଦ କରି ତୁମ୍ଭର ଅଙ୍ଗରଖା ନେବାକୁ ଇଚ୍ଛା କରେ, ତାହାକୁ ଚାଦର ମଧ୍ୟ ଦେଇଦିଅ । 41 ପୁଣି, ଯେ କେହି ତୁମ୍ଭକୁ କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ । 42 ଯେ ତୁମ୍ଭକୁ ମାଗେ, ତାହାକୁ ଦିଅ, ପୁଣି, ଯେ ତୁମ୍ଭଠାରୁ ଋଣ ନେବାକୁ ଇଚ୍ଛା କରେ, ତାହା ପ୍ରତି ବିମୁଖ ହୁଅ ନାହିଁ ।

ଶତ୍ରୁ ପ୍ରତି ପ୍ରେମ

43 ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ତୁମ୍ଭର ପ୍ରତିବାସୀକୁ ପ୍ରେମ କର ଓ ତୁମ୍ଭର ଶତ୍ରୁକୁ ଘୃଣା କର । 44 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, 45 ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ; ସେ ତ ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି, ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି ।46 ଆଉ ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ପୁରସ୍କାର ? କରଗ୍ରାହୀମାନେ ସୁଦ୍ଧା କ’ଣ ତାହା କରନ୍ତି ନାହିଁ ? 47 ଆଉ ତୁମ୍ଭେମାନେ ଯଦି କେବଳ ନିଜ ନିଜ ଭାଇମାନଙ୍କୁ ନମସ୍କାର କର, ତେବେ ଅଧିକ କଅଣ କର ? ଅଣଯିହୂଦୀମାନେ ସୁଦ୍ଧା କ’ଣ ତାହା କରନ୍ତି ନାହିଁ ? 48 ଅତଏବ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ ।


ଦାନଧର୍ମ6

ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ । ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି ।କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କ’ଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ, ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।

ପ୍ରଭୁଙ୍କ ଆଦର୍ଶ ପ୍ରାର୍ଥନା

ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜଗୃହ ଓ ଛକକୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲପାନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି, ତୁମ୍ଭର କବାଟ ବନ୍ଦ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ । ପୁଣି, ପ୍ରାର୍ଥନା କରିବା ସମୟରେ ଅଣଯିହୂଦୀମାନଙ୍କ ପରି ଅନାବଶ୍ୟକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି ।ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କ’ଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ୱର ତାହା ଜାଣନ୍ତି । ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ ।10 ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।11 ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ ।12 ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର ।13 ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର । [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର । ଆମେନ୍ ।]14 କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ; 15 କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।

ପ୍ରକୃତ ଉପବାସ

16 ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । 17 କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର, 18 ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।

ସ୍ୱର୍ଗରେ ସଂଞ୍ଚିତ ଧନ

19 ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ; 20 ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର, 21 କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ ।

ଶରୀରର ଜ୍ୟୋତିଃ

22 ଚକ୍ଷୁ ଶରୀରର ପ୍ରଦୀପ । ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ । 23 କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେ ଅନ୍ଧକାର କେଡ଼େ ଘୋରତର !

ଈଶ୍ୱର ଓ ଧନ

24 କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାର ନାହିଁ ।

ଚିନ୍ତିତ ନ ହୁଅ

25 ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ’ଣ ଖାଇବ ବା କ’ଣ ପିଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କ’ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ । ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ ? 26 ଆକାଶର ପକ୍ଷୀଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି । ତୁମ୍ଭମାନେ କ’ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ ?27 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରି ପାରେ ? 28 ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ, 29 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ ।30 କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲ୍ଲିରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ ? 31 ଏଣୁ କ’ଣ ଖାଇବା ? ଅବା କ’ଣ ପିଇବା ? କିଅବା କ’ଣ ପିନ୍ଧିବା ? ଏହା କହି ଚିନ୍ତିତ ହୁଅ ନାହିଁ ।32 କାରଣ ଅଣଯିହୂଦୀମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି । ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି । 33 କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ । 34 ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ । ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ ।


ଅନ୍ୟର ବିଚାର ନ କରିବା7

ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ । କାରଣ ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭମାନେ ବିଚାରିତ ହେବ; ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଇ ଦିଆଯିବ । ଆଉ କାହିଁକି ତୁମ୍ଭ ଭାଇର ଆଖିର ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ ? ଅଥବା ତୁମ୍ଭେ କିପରି ଆପଣା ଭାଇ କି କହିବ, ଆସ, ତୁମ୍ଭ ଆଖିରୁ କୁଟାଟିକକ ବାହାର କରିଦିଏ ? ଆଉ ଦେଖ, ତୁମ୍ଭ ଆଖିରେ କଡ଼ିକାଠ ଅଛି! ରେ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରୁ କୁଟାଟିକକ ବାହାର କରିବା ପାଇଁ ଭଲ ଭାବରେ ଦେଖି ପାରିବ । ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦିଅ ନାହିଁ, କିମ୍ବା ତୁମ୍ଭମାନଙ୍କର ମୁକ୍ତା ଘୁଷୁରିମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେହି ସବୁ ସେମାନଙ୍କ ପାଦ ତଳେ ଦଳନ୍ତି ଓ ବୁଲିପଡ଼ି ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରନ୍ତି ।

ମାଗ, ଖୋଜ ଓ ଦ୍ୱାରରେ ଆଘାତ କର

ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ । କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଫିଟାଇ ଦିଆଯିବ । କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୁଟି ମାଗିଲେ ତାହାକୁ ପଥର ଦେବ, 10 କିଅବା ମାଛ ମାଗିଲେ ତାହାକୁ ସାପ ଦେବ ? 11 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ମଧ୍ୟ ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ !

ଧର୍ମଶାସ୍ତ୍ରର ସାର

12 ଅତଏବ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହି ସବୁ କର, କାରଣ ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରର ସାର । 13 ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି, ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ । 14 ଆଉ ଜୀବନକୁ ନେଇଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି, ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ ।

ଗଛ ଓ ତା’ ଫଳ

15 ଭଣ୍ଡ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ; ସେମାନେ ମେଣ୍ଢାବେଶ‍ରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ ! 16 ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ । ଲୋକମାନେ କି କଣ୍ଟାଗଛରୁ ଦ୍ରାକ୍ଷାଫଳ କିମ୍ବା କାନକୋଳି ଗଛରୁ ଡିମ୍ବିରି ଫଳ ତୋଳନ୍ତି ? 17 ସେହି ପ୍ରକାରେ ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ। 18 ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କିଅବା ମନ୍ଦ ଗଛ ଭଲ ଫଳ ଫଳି ନ ପାରେ । 19 ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ । 20 ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ ।ମୁଁ

ତୁମ୍ଭମାନଙ୍କୁ ଜାଣେ ନାହିଁ

21 ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ । 22 ସେ ଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ ? ଆଉ ତୁମ୍ଭ ନାମରେ କି ଅନେକ ଆଶ୍ଚର୍ଯ୍ୟର କାର୍ଯ୍ୟ କଲୁ ନାହିଁ ? 23 ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ । ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ ।

ଦୁଇ ଗୃହ ନିର୍ମାଣକାରୀ

24 ଏଣୁ ଯେ କେହି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ପଥର ଉପରେ ଘର ତିଆରି କରିବା ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ । 25 ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଲା ନାହିଁ, କାରଣ ପଥର ଉପରେ ତାହାର ମୂଳଦୁଆ ଥିଲା । 26 ଆଉ ଯେ କେହି ମୋର ଏହି ସମସ୍ତ କଥା ଶୁଣି ପାଳନ କରେ ନାହିଁ, ସେ ବାଲି ଉପରେ ଘର ତିଆରି କରିବା ଜଣେ ମୁର୍ଖ ଲୋକ ଭଳି ହେବ । 27 ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି, ତାହାର ପତନ ଭୟଙ୍କର ହେଲା ।

ଯୀଶୁଙ୍କର ଅଧିକାର

28 ଯୀଶୁ ଏହି ସବୁ କଥା ଶେଷ କରନ୍ତେ ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, 29 କାରଣ ସେ ସେମାନଙ୍କର ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ ।

ମାଥ୍ୟୁ 5-7-

ପୁନରୁତ୍ଥିତ ଯୀଶୁଙ୍କ ଶିଷ୍ୟମାନଙ୍କୁ ଦର୍ଶନ19 ସେହି ଦିନ, ଅର୍ଥାତ୍‍, ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୂଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ । 20 ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ । ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ । 21 ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି । 22 ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କର । 23 ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ ।ଯୀଶୁ ଓ ଥୋମା24 କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସାଙ୍ଗରେ ନ ଥିଲେ । 25 ଅତଏବ, ଅନ୍ୟ ଶିଷ୍ୟମାନେ ତାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ । କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହି ସବୁ ସ୍ଥାନରେ ମୋହର ଆଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ । 26 ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ । ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ । 27 ପରେ ସେ ଥୋମାଙ୍କୁ କହିଲେ, ଏଆଡ଼େ ତୁମ୍ଭର ଆଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ । 28 ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ୱର । 29 ଯୀଶୁ ତାଙ୍କୁ କହିଲେ, ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ ।ଏହି ପୁସ୍ତକର ଉଦ୍ଦେଶ୍ୟ30 ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହି ସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ; 31 କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥି ନିମନ୍ତେ ଏସମସ୍ତ ଲେଖାଯାଇଅଛି ।ଯୋହନ

20: 19-31

ସାତ ଜଣ ଶିଷ୍ୟଙ୍କୁ ଯୀଶୁଙ୍କ ଦର୍ଶନ

21ଏଥିଉତ୍ତାରେ ଯୀଶୁ ତିବିରୀୟା ସମୁଦ୍ରକୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ । ସେ ଏହି ପ୍ରକାରେ ଦର୍ଶନ ଦେଲେ; ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ । ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି । ସେମାନେ ତାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ । ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ । କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ । ଯୀଶୁ ସେମାନଙ୍କୁ କହିଲେ, ପିଲାମାନେ ତୁମ୍ଭମାନଙ୍କ ପାଖରେ କ’ଣ କିଛି ଖାଇବାର ଅଛି ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ । ସେ ସେମାନଙ୍କୁ କହିଲେ, ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ । ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ । ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଫୁଙ୍ଗା ଦେହ ହୋଇଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ; କିନ୍ତୁ ଅନ୍ୟ ଶିଷ୍ୟମାନେ ମାଛରେ ଭର୍ତ୍ତି ହୋଇଥିବା ଜାଲ ଟାଣି ଟାଣି ସାନ ନାଆରେ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ । ସେମାନେ କୂଳରେ ଓହ୍ଳାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ । 10 ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ । 11 ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ । 12 ଯୀଶୁ ସେମାନଙ୍କୁ କହିଲେ, ଆସି ଭୋଜନ କର । ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ । 13 ଯୀଶୁ ଆସି ରୁଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ । 14 ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ ।

ପିତରଙ୍କୁ ଯୀଶୁଙ୍କ ଆଦେଶ

15 ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ’ଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ସେ ତାଙ୍କୁ କହିଲେ, ମୋହର ମେଷଶାବକମାନଙ୍କୁ ଚରାଅ । 16 ସେ ପୁନର୍ବାର ଦ୍ୱିତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ’ଣ ମୋତେ ପ୍ରେମ କରୁଅଛ ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ସେ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ପ୍ରତିପାଳନ କର । 17 ସେ ତୃତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ’ଣ ମୋତେ ସ୍ନେହ କରୁଅଛ ? ତୁମ୍ଭେ କ’ଣ ମୋତେ ସ୍ନେହ କରୁଅଛ, ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୋ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ଯୀଶୁ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ଚରାଅ । 18 ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ । 19 ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ । ଏହା କହିଲା ଉତ୍ତାରେ ସେ ତାଙ୍କୁ କହିଲେ, ମୋହର ଅନୁଗାମୀ ହୁଅ ।ଯୀଶୁ ଓ ତାହାଙ୍କ ପ୍ରିୟ ଶିଷ୍ୟ20 ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ । 21 ପିତର ତାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କ’ଣ ? 22 ଯୀଶୁ ତାଙ୍କୁ କହିଲେ, ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ’ଣ ଅଛି ? ତୁମ୍ଭେ ମୋହର ଅନୁଗାମୀ ହୁଅ । 23 ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାଙ୍କୁ କହି ନ ଥିଲେ, କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କ’ଣ ଅଛି ବୋଲି କହିଥିଲେ । 24 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ ।ଉପସଂହାର25 ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହି ସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହି ସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ

ଯୋହନ 21: 1-25

ପବିତ୍ର ଆତ୍ମାଙ୍କ ପ୍ରତିଜ୍ଞା

1ହେ ଥୀୟଫିଲ, ଯେଉଁ ଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଊର୍ଦ୍ଧ୍ୱକୁ ନିଆଗଲେ, ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟ ନେଇ ମୁଁ ପ୍ରଥମ ଲୂକ ପୁସ୍ତକଟି ଲେଖିଅଛି । ସେ ମଧ୍ୟ ଆପଣା ଦୁଃଖଭୋଗ ଉତ୍ତାରେ ଅନେକ ପ୍ରମାଣ ଦ୍ୱାରା ସେମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟ ଗୁଡ଼ିକ କହିଲେ । ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ଯିରୂଶାଲମରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋ’ଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ; କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ ।ଯୀଶୁଙ୍କ ସ୍ୱର୍ଗାରୋହଣଅତଏବ, ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ; “ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି ?” ସେ ସେମାନଙ୍କୁ କହିଲେ, ”ଯେଉଁ ସମସ୍ତ କାଳ କି ସମୟ ପିତା ଆପଣା କ୍ଷମତାର ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ । କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ ।” ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା । 10 ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, 11 ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ ।

ପ୍ରେରିତ ୧: ୧-11-୧।

ଇସ୍‍ହାକଙ୍କ ଉତ୍ସର୍ଗ

22 ,ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ୱର ଅବ୍ରହାମଙ୍କର ପରୀକ୍ଷା ନିମନ୍ତେ କହିଲେ, “ହେ ଅବ୍ରହାମ । ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ, ମୁଁ ଏଠାରେ ଅଛି ।” ସେତେବେଳେ ସେ କହିଲେ, “ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍‍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍‍ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି, ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର ।” ତହିଁରେ ଅବ୍ରହାମ ପ୍ରଭାତରେ ଉଠି ଗଧ ସଜାଇ ଦୁଇଜଣ ଦାସ ଓ ଆପଣା ପୁତ୍ର ଇସ୍‍ହାକକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ । ଅନନ୍ତର ତୃତୀୟ ଦିନରେ ଅବ୍ରହାମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ । ସେତେବେଳେ ଅବ୍ରହାମ ସେହି ଦାସମାନଙ୍କୁ କହିଲେ, ” ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା ।” ତହୁଁ ଅବ୍ରହାମ ଯଜ୍ଞକାଷ୍ଠ ଘେନି ଆପଣା ପୁତ୍ର ଇସ୍‍ହାକର ସ୍କନ୍ଧରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ, ପୁଣି, ଦୁହେଁ ଏକତ୍ର ଚାଲିଗଲେ । ଆଉ ଇସ୍‍ହାକ ଆପଣା ପିତା ଅବ୍ରହାମଙ୍କୁ ଡାକି କହିଲା, “ହେ ମୋହର ପିତଃ ।” ତହିଁରେ ସେ ଉତ୍ତର କଲେ, “ପୁତ୍ର, ଦେଖ, ମୁଁ ଏଠାରେ ।” ସେତେବେଳେ ସେ ପଚାରିଲା, “ଏହି ଦେଖ, ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢାଛୁଆ କାହିଁ ?” ତହିଁରେ ଅବ୍ରହାମ କହିଲେ, “ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢାଛୁଆ ଯୋଗାଇବେ ।” ତହୁଁ ଦୁହେଁ ଏକତ୍ର ଚାଲିଗଲେ । ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ଅବ୍ରହାମ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସ୍‍ହାକକୁ ବାନ୍ଧି ବେଦିର କାଠ ଉପରେ ଶୁଆଇଲେ । 10 ଅନନ୍ତର ଅବ୍ରହାମ ହସ୍ତ ବିସ୍ତାରି ପୁତ୍ରକୁ ବଧ କରିବା ନିମନ୍ତେ ଛୁରିକା ଧରିଲେ । 11 ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, “ହେ ଅବ୍ରହାମ, ହେ ଅବ୍ରହାମ !” ତହିଁରେ ସେ କହିଲେ, “ଦେଖନ୍ତୁ, ମୁଁ ଏଠାରେ ।” 12 ତହିଁରେ ସେ କହିଲେ, “ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ; କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ ।” 13 ସେତେବେଳେ ଅବ୍ରହାମ ଅନାଇ ଆପଣା ପଛଆଡ଼ ବୁଦାର ଲତାରେ ବଦ୍ଧଶୃଙ୍ଗ ଗୋଟିଏ ମେଷ ଦେଖିଲେ; ତହିଁରେ ଅବ୍ରହାମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ । 14 ପୁଣି, ଅବ୍ରହାମ ସେହି ସ୍ଥାନର ନାମ ଯିହୋବା-ଯିରି ରଖିଲେ । ଏଣୁକରି ଆଜିଯାଏ ଲୋକେ କହନ୍ତି, ପର୍ବତରେ ସଦାପ୍ରଭୁ ଯୋଗାଇବେ । 15 ଆଉ ସଦାପ୍ରଭୁଙ୍କ ଦୂତ ଦ୍ୱିତୀୟ ଥର ଆକାଶରୁ ଅବ୍ରହାମଙ୍କୁ ଡାକି କହିଲେ, 16 ” ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ; 17 ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା; ତୁମ୍ଭର ବଂଶ ଶତ୍ରୁଗଣର ନଗର-ଦ୍ୱାର ଅଧିକାର କରିବେ । 18 ପୁଣି, ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ ।” 19 ଅନନ୍ତର ଅବ୍ରହାମ ସେହି ଦାସମାନଙ୍କ ନିକଟକୁ ଫେରିଗଲେ; ଆଉ ସେମାନେ ଉଠି ଏକତ୍ର ବେର୍‍ଶେବାକୁ ଗଲେ ଓ ଅବ୍ରହାମ ବେର୍‍ଶେବାରେ ବାସ କଲେ ।

ମନୁଷ୍ୟର ଦୁଷ୍ଟତା

6ଏହିରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ; ସେତେବେଳେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି, ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ, ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ । ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭର ଆତ୍ମା ମନୁଷ୍ୟକୁ ସର୍ବଦା ପ୍ରବର୍ତ୍ତାଇବେ ନାହିଁ, ଯେହେତୁ ସେମାନଙ୍କ ବିପଥ ଗମନରେ ସେମାନେ ମାଂସମାତ୍ର; ଏନିମନ୍ତେ ସେମାନଙ୍କ ସମୟ ଶହେ କୋଡ଼ିଏ ବର୍ଷ ହେବ ।” ସେହି ସମୟରେ ପୃଥିବୀରେ ମହା ବୀରଗଣ ଥିଲେ; ପୁଣି, ତହିଁ ଉତ୍ତାରେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣର ସହବାସ କରନ୍ତେ, ସେମାନଙ୍କଠାରୁ ସନ୍ତାନଗଣ ଜାତ ହେଲେ; ସେମାନେ ମଧ୍ୟ ପୂର୍ବକାଳର ପ୍ରସିଦ୍ଧ ବୀର ଥିଲେ । ଅନନ୍ତର ସଦାପ୍ରଭୁ ଦେଖିଲେ ଯେ, ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦମାତ୍ର । ଏନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ହେତୁରୁ ଅନୁତାପ କରି ମନରେ ଶୋକ କଲେ । ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ, ଆଉ ମନୁଷ୍ୟ ସହିତ ପଶୁ ଓ ଉରୋଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା; କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି ।” ମାତ୍ର, ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ ।ନୋହ ଓ ଜଳପ୍ଲାବନନୋହଙ୍କର ବଂଶାବଳୀ ଏହି । ନୋହ ଆପଣା ସେହି ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ । 10 ନୋହ, ଶେମ ଓ ହାମ ଓ ଯେଫତ୍‍, ଏହି ତିନି ପୁତ୍ରଙ୍କୁ ଜାତ କଲେ । 11 ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା । 12 ପୁଣି, ପରମେଶ୍ୱର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ, ତାହା ଭ୍ରଷ୍ଟ ହୋଇଅଛି; ଯେହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି । 13 ତହୁଁ ପରମେଶ୍ୱର ନୋହଙ୍କୁ କହିଲେ, “ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମକାଳ ଉପସ୍ଥିତ ହେଲା; ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି; ପୁଣି, ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା । 14 ତୁମ୍ଭେ ଗୋଫର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର; ତହିଁ ମଧ୍ୟରେ ନାନା କୋଠରୀ ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର । 15 ତାହା ଏହି ପ୍ରକାରେ ନିର୍ମାଣ କରିବ; ଦୀର୍ଘରେ ତିନିଶହ ହାତ, ପ୍ରସ୍ଥରେ ପଚାଶ ହାତ, ଉଚ୍ଚରେ ତିରିଶ ହାତ ହେବ । 16 ଉପରରୁ ଏକ ହାତ ଛାଡ଼ି ଝରକା କରିବ, ଆଉ ତହିଁର ପାର୍ଶ୍ୱରେ ଦ୍ୱାର ରଖିବ; ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତଳ ବନାଇବ । 17 ପୁଣି, ଆକାଶତଳେ ପ୍ରାଣବାୟୁ ବିଶିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି, ସେହି ସବୁ ବିନଷ୍ଟ କରିବା ନିମନ୍ତେ, ଆମ୍ଭେ, ଦେଖ, ଆମ୍ଭେ ପୃଥିବୀ ଉପରେ ଜଳପ୍ଳାବନ କରିବା, ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣତ୍ୟାଗ କରିବେ । 18 ମାତ୍ର ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ତୁମ୍ଭେ ଆପଣା ପୁତ୍ରମାନଙ୍କୁ ଓ ଭାର୍ଯ୍ୟା ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ । 19 ପୁଣି, ପ୍ରାଣରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ । 20 ସର୍ବପ୍ରକାର ପକ୍ଷୀ ଓ ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରୋଗାମୀ ଜନ୍ତୁ ପ୍ରତ୍ୟେକ ଜାତି ଅନୁସାରେ ଏକ ଏକ ଦମ୍ପତି ଜୀବନରକ୍ଷାର୍ଥେ ତୁମ୍ଭ ନିକଟକୁ ଆସିବେ । 21 ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସର୍ବପ୍ରକାର ଖାଦ୍ୟସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ ।” 22 ତହିଁରେ ନୋହ ସେରୂପ କଲେ; ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ ।
7ଅନନ୍ତର ସଦାପ୍ରଭୁ ନୋହଙ୍କୁ କହିଲେ, “ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର; କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମ୍ଭକୁ ଧାର୍ମିକ ଦେଖିଅଛୁ । ଆଉ ପୃଥିବୀରେ ବଂଶ ରକ୍ଷା କରିବା ପାଇଁ ପ୍ରତ୍ୟେକ ଶୁଚି ପଶୁଜାତିର ସାତ ସାତ ଦମ୍ପତି ଓ ପ୍ରତ୍ୟେକ ଅଶୁଚି ପଶୁଜାତିର ଏକ ଏକ ଦମ୍ପତି; ପ୍ରତ୍ୟେକ ଖେଚର ପକ୍ଷୀଜାତିର ସାତ ସାତ ଦମ୍ପତି ଆପଣା ସଙ୍ଗରେ ନିଅ । ଯେହେତୁ ସାତ ଦିନ ଉତ୍ତାରେ ଆମ୍ଭେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି କରାଇ ପୃଥିବୀସ୍ଥିତ ଆମ୍ଭର ନିର୍ମିତ ସମସ୍ତ ପ୍ରାଣୀଙ୍କି ଲୁପ୍ତ କରିବା ।” ନୋହ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସବୁ କର୍ମ କଲେ । ନୋହଙ୍କର ଛଅଶହ ବର୍ଷ ବୟସରେ ପୃଥିବୀ ଉପରେ ଜଳପ୍ଳାବନ ହେଲା । ତହୁଁ ଜଳପ୍ଳାବନରୁ ରକ୍ଷା ପାଇବା ନିମନ୍ତେ ନୋହ ଓ ତାଙ୍କର ଭାର୍ଯ୍ୟା ଆଉ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ । ପୁଣି, ନୋହଙ୍କ ପ୍ରତି ପରମେଶ୍ୱରଙ୍କ ଆଜ୍ଞାନୁସାରେ ଶୁଚି ଓ ଅଶୁଚି ପଶୁପକ୍ଷୀବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ଯୋଡ଼ା ଯୋଡ଼ା ହୋଇ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ । 10 ଆଉ ସେହି ସାତ ଦିନ ଉତ୍ତାରେ ପୃଥିବୀରେ ଜଳପ୍ଳାବନର ଆରମ୍ଭ ହେଲା । 11 ନୋହଙ୍କର ବୟସର ଛଅଶହ ବର୍ଷ ଦ୍ୱିତୀୟ ମାସର ସପ୍ତଦଶ ଦିନରେ ମହା ସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି, ଆକାଶସ୍ଥ ଦ୍ୱାର ସବୁ ମୁକ୍ତ ହେଲା । 12 ତହିଁରେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା । 13 ସେହି ଦିନରେ ନୋହ, ପୁଣି, ଶେମ ଓ ହାମ ଓ ଯେଫତ୍‍ ନାମକ ନୋହଙ୍କର ପୁତ୍ରମାନେ, ଆଉ ସେମାନଙ୍କ ସହିତ ନୋହଙ୍କର ଭାର୍ଯ୍ୟା ଓ ତିନି ପୁତ୍ରବଧୂ ଜାହାଜରେ ପ୍ରବେଶ କଲେ । 14 ପୁଣି, ସବୁ ଜାତୀୟ ଗ୍ରାମ୍ୟ ଓ ବନ୍ୟପଶୁ ଓ ସବୁ ଜାତୀୟ ଉରୋଗାମୀ ଓ ସବୁ ଜାତୀୟ ଭୂଚର ଓ ଖେଚର ପକ୍ଷୀ; 15 ଅର୍ଥାତ୍‍, ପ୍ରାଣବାୟୁବିଶିଷ୍ଟ ସର୍ବପ୍ରକାର ଜୀବଜନ୍ତୁ ଯୋଡ଼ା ଯୋଡ଼ା ହୋଇ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ । 16 ପରମେଶ୍ୱରଙ୍କ ଆଜ୍ଞାନୁସାରେ ସର୍ବପ୍ରକାର ପ୍ରାଣୀ ଦମ୍ପତିକ୍ରମେ ପ୍ରବେଶ କଲେ; ତହୁଁ ସଦାପ୍ରଭୁ ତାହାର ପାର୍ଶ୍ୱଦ୍ୱାର ବନ୍ଦ କଲେ । 17 ଅନନ୍ତର ଚାଳିଶ ଦିନ ପର୍ଯ୍ୟନ୍ତ ପୃଥିବୀରେ ଜଳପ୍ଳାବନ ହେଲା; ପୁଣି, ଜଳ ବଢ଼ୁ ବଢ଼ୁ ଜାହାଜ ଭୂମିକି ଛାଡ଼ି ଭାସି ଉଠିଲା । 18 ଆଉ ପୃଥିବୀରେ କ୍ରମଶଃ ଜଳ ପ୍ରବଳ ହୋଇ ଅତିଶୟ ବଢ଼ୁ ବଢ଼ୁ ଜାହାଜ ଜଳ ଉପରେ ଭାସିଲା । 19 ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା । 20 ତହିଁ ଉପରେ ପନ୍ଦର ହାତ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ । 21 ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍‍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ, 22 ଆଉ ଶୁଷ୍କଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା, ସମସ୍ତେ ମଲେ । 23 ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍‍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ । 24 ଏହିରୂପେ ପୃଥିବୀ ଏକଶହ ପଚାଶ ଦିନ ପର୍ଯ୍ୟନ୍ତ ଜଳରେ ବୁଡ଼ି ରହିଲା ।
ଜଳପ୍ଳାବନର ଅବସାନ8ଅନନ୍ତର ପରମେଶ୍ୱର ନୋହଙ୍କୁ ଓ ତାଙ୍କ ସହିତ ଜାହାଜସ୍ଥ ପଶ୍ୱାଦି ସମସ୍ତ ପ୍ରାଣୀଙ୍କି ସ୍ମରଣ କରି ପୃଥିବୀରେ ବାୟୁ ବୁହାଇଲେ, ତହୁଁ ଜଳ ଥମିଲା; ମହାସମୁଦ୍ରର ଜଳାକାର ଓ ଆକାଶସ୍ଥ ଦ୍ୱାର ସକଳ ରୁଦ୍ଧ ହେଲା, ପୁଣି, ଆକାଶରୁ ବୃଷ୍ଟି ନିବୃତ୍ତ ହେଲା । ତହିଁରେ ପୃଥିବୀରୁ ଜଳ ବହିଯାଇ ଏକଶହ ପଚାଶ ଦିନର ଶେଷରେ ହ୍ରାସ ହେଲା । ଏଥିଉତ୍ତାରୁ ସପ୍ତମ ମାସର ସପ୍ତଦଶ ଦିନରେ ଆରାରାଟ୍‍ ପର୍ବତ ଉପରେ ଜାହାଜ ଲାଗି ରହିଲା । ଏହିରୂପେ ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ ଊଣା ପଡ଼ିଲା; ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା । ଅନନ୍ତର ଆଉ ଚାଳିଶ ଦିନ ଉତ୍ତାରେ ନୋହ ସ୍ୱନିର୍ମିତ ଜାହାଜର ଝରକା ଫିଟାଇ ଗୋଟାଏ ଡାମରା କାଉକୁ ଉଡ଼ାଇ ଦେଲେ; ତହିଁରେ ପୃଥିବୀର ଜଳ ଶୁଷ୍କ ହେବା ପର୍ଯ୍ୟନ୍ତ ସେ ଏଣେତେଣେ ଗତାୟାତ କଲା । ପୁନଶ୍ଚ, ନୋହ ଭୂମିରେ ଜଳର ହ୍ରାସ ବୁଝିବା ପାଇଁ ଗୋଟିଏ କାପ୍ତା ଉଡ଼ାଇ ଦେଲେ; ସେତେବେଳେ ପୃଥିବୀ ଜଳାଚ୍ଛାଦିତ ଥିବାରୁ କାପ୍ତା ଆପଣା ପାଦ ରଖିବାର ସ୍ଥାନ ନ ପାଇ ଜାହାଜରେ ତାଙ୍କ ନିକଟକୁ ନେଉଟି ଆସିଲା; ତହୁଁ ସେ ହାତ ବଢ଼ାଇ ତାକୁ ଧରି ଜାହାଜ ଭିତରେ ଆପଣା ନିକଟକୁ ଆଣିଲେ । 10 ଆଉ ସାତ ଦିନ ବିଳମ୍ବ କଲା ଉତ୍ତାରେ ସେ ସେହି କାପ୍ତାକୁ ପୁନର୍ବାର ଜାହାଜରୁ ଉଡ଼ାଇ ଦେଲେ; 11 ତହିଁରେ କାପ୍ତା ସନ୍ଧ୍ୟା ବେଳେ ତାଙ୍କ ନିକଟକୁ ଫେରି ଆସିଲା; ଆଉ ଦେଖ, ତାହାର ଚଞ୍ଚୁରେ ଜୀତ ବୃକ୍ଷର ନବୀନ ପଲ୍ଲବ ଥିଲା; ଏଣୁ ପୃଥିବୀର ଜଳ ହ୍ରାସ ହୋଇଅଛି, ଏହା ନୋହ ବୁଝିଲେ । 12 ଆଉ ସାତ ଦିନ ବିଳମ୍ବ କରି ସେ ସେହି କାପ୍ତାକୁ ପୁନର୍ବାର ଉଡ଼ାଇ ଦେଲେ, ମାତ୍ର ସେ ଆଉ ଥରେ ତାଙ୍କ ନିକଟକୁ ନେଉଟି ଆସିଲା ନାହିଁ । 13 ଛଅଶହ ଏକ ବର୍ଷ ପ୍ରଥମ ମାସର ପ୍ରଥମ ଦିନରେ ପୃଥିବୀ ଉପରୁ ଜଳ ଶୁଷ୍କ ହେଲା; ସେତେବେଳେ ନୋହ ଜାହାଜର ଛାତ ଉଠାଇ ଅନାନ୍ତେ, ଭୂମିକି ଶୁଷ୍କ ଦେଖିଲେ । 14 ଏହିରୂପେ ଦ୍ୱିତୀୟ ମାସର ସତାଇଶ ଦିନରେ ପୃଥିବୀ ଶୁଷ୍କ ହେଲା । 15 ଅନନ୍ତର ପରମେଶ୍ୱର ନୋହଙ୍କୁ କହିଲେ, 16 “ତୁମ୍ଭେ ଆପଣା ଭାର୍ଯ୍ୟା ଓ ପୁତ୍ରଗଣ ଓ ପୁତ୍ରବଧୂଗଣଙ୍କୁ ସଙ୍ଗେ ଘେନି ଜାହାଜରୁ ବାହାର ହୋଇ ଯାଅ । 17 ପୁଣି, ଆପଣା ସଙ୍ଗେ ଥିବା ପଶୁ, ପକ୍ଷୀ ଓ ଭୂଚର, ଉରୋଗାମୀ ଆଦି ସବୁ ଜୀବଜନ୍ତୁ ବାହାରକୁ ଘେନି ଯାଅ; ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ, ପୁଣି, ପୃଥିବୀରେ ପ୍ରଜାବନ୍ତ ଓ ବହୁବଂଶ ହେଉନ୍ତୁ ।” 18 ତହୁଁ ନୋହ ଆପଣା ଭାର୍ଯ୍ୟା, ପୁତ୍ର ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ବାହାରକୁ ଆସିଲେ; 19 ପୁଣି, ସ୍ୱ ସ୍ୱ ଜାତି ଅନୁସାରେ ପ୍ରତ୍ୟେକ ପଶୁ, ପ୍ରତ୍ୟେକ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ପକ୍ଷୀ ପ୍ରଭୃତି ସମସ୍ତ ଭୂଚର ପ୍ରାଣୀ ଜାହାଜରୁ ବାହାରି ଆସିଲେ ।ନୋହଙ୍କ ହୋମବଳି ଉତ୍ସର୍ଗ20 ଅନନ୍ତର ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କଲେ, ପୁଣି, ସର୍ବପ୍ରକାର ଶୁଚି ପଶୁ ଓ ଶୁଚି ପକ୍ଷୀଗଣ ମଧ୍ୟରୁ କେତେକ ନେଇ ବେଦି ଉପରେ ହୋମବଳି ଉତ୍ସର୍ଗ କଲେ । 21 ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଘ୍ରାଣ କରି ମନେ ମନେ କହିଲେ, “ଆମ୍ଭେ ମନୁଷ୍ୟ ହେତୁରୁ ଆଉ ପୃଥିବୀକି ଅଭିଶାପ ଦେବା ନାହିଁ; ଯଦ୍ୟପି ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ, ତଥାପି ଆମ୍ଭେ ଯେପରି କରିଅଛୁ, ସେପରି ଆଉ ଥରେ କେବେହେଁ ସବୁ ପ୍ରାଣୀଙ୍କୁ ବିନଷ୍ଟ କରିବା ନାହିଁ । 22 ପୁଣି, ଯେପର୍ଯ୍ୟନ୍ତ ପୃଥିବୀ ଥିବ, ସେପର୍ଯ୍ୟନ୍ତ ବୁଣାକଟାର ସମୟ, ଶୀତ ଓ ଗ୍ରୀଷ୍ମ, ପୁଣି, ଗ୍ରୀଷ୍ମ ଓ ଶୀତ କାଳ, ଆଉ ଦିବସ ଓ ରାତ୍ରି, ଏହି ସବୁର ନିବୃତ୍ତି ହେବ ନାହିଁ ।”
ନୋହଙ୍କ ସହିତ ପରମେଶ୍ୱରଙ୍କ ଚୁକ୍ତି9ଏଥିଉତ୍ତାରୁ ପରମେଶ୍ୱର ନୋହ ଓ ତାଙ୍କ ପୁତ୍ରମାନଙ୍କୁ ଆଶୀର୍ବାଦ କରି କହିଲେ, “ତୁମ୍ଭେମାନେ ପ୍ରଜାବନ୍ତ ଓ ବହୁବଂଶ ହୋଇ ପୃଥିବୀକି ପରିପୂର୍ଣ୍ଣ କର । ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଓ ଉରୋଗାମୀ ଜନ୍ତୁ ଓ ସମୁଦ୍ରର ମତ୍ସ୍ୟ, ସମସ୍ତେ ତୁମ୍ଭମାନଙ୍କଠାରୁ ଭୀତ ଓ ଶଙ୍କାଯୁକ୍ତ ହେବେ; ସେହି ସମସ୍ତ ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଟନ୍ତି । ପ୍ରତ୍ୟେକ ଗମନଶୀଳ ପ୍ରାଣୀ ତୁମ୍ଭମାନଙ୍କର ଖାଦ୍ୟ ହେବ, ଆମ୍ଭେ ହରିତ୍‍ ଶାକ ପରି ଏହି ସମସ୍ତ ତୁମ୍ଭମାନଙ୍କୁ ଦେଲୁ । ମାତ୍ର ତୁମ୍ଭେମାନେ ସପ୍ରାଣ ସରକ୍ତ ମାଂସ ଖାଇବ ନାହିଁ । ପୁଣି, ଆମ୍ଭେ ତୁମ୍ଭମାନଙ୍କ ଜୀବନରୂପ ରକ୍ତପାତର ପରିଶୋଧ ନିତାନ୍ତ ନେବା; ପ୍ରତ୍ୟେକ ପଶୁଠାରୁ ହେଉ କି ମନୁଷ୍ୟଠାରୁ ହେଉ, ତାହାରି ପରିଶୋଧ ନେବା; ଆମ୍ଭେ ପ୍ରତ୍ୟେକ ମନୁଷ୍ୟର ଭ୍ରାତାଠାରୁ ମନୁଷ୍ୟର ପ୍ରାଣର ପରିଶୋଧ ନେବା । ଯେ କେହି ମନୁଷ୍ୟର ରକ୍ତପାତ କରିବ, ମନୁଷ୍ୟ ଦ୍ୱାରା ତାହାର ରକ୍ତପାତ କରାଯିବ; ଯେହେତୁ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି । ତୁମ୍ଭେମାନେ ପ୍ରଜାବନ୍ତ ଓ ବହୁବଂଶ ହୁଅ, ଆଉ ପୃଥିବୀକୁ ପରିପୂର୍ଣ୍ଣ କରି ବର୍ଦ୍ଧିଷ୍ଣୁ ହୁଅ ।” ଅନନ୍ତର ପରମେଶ୍ୱର ନୋହଙ୍କୁ ଓ ତାଙ୍କର ସଙ୍ଗୀ ପୁତ୍ରମାନଙ୍କୁ କହିଲେ, “ଦେଖ, ତୁମ୍ଭମାନଙ୍କ ସହିତ ଓ ତୁମ୍ଭମାନଙ୍କ ଭବିଷ୍ୟତ ବଂଶ ସହିତ ଓ ତୁମ୍ଭମାନଙ୍କ ସଙ୍ଗୀ ସମସ୍ତ ଜୀବଜନ୍ତୁ ସହିତ, 10 ଅର୍ଥାତ୍‍, ଜାହାଜରୁ ବହିର୍ଗତ ଗ୍ରାମ୍ୟ ଓ ବନ୍ୟପଶୁ ଓ ପକ୍ଷୀ ପ୍ରଭୃତି ପୃଥିବୀସ୍ଥ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଆପଣା ନିୟମ ସ୍ଥିର କରୁଅଛୁ । 11 ଆମ୍ଭେ ତୁମ୍ଭମାନଙ୍କ ସହିତ ଏହି ନିୟମ ସ୍ଥିର କରିବୁ, ସମସ୍ତ ପ୍ରାଣୀ ଜଳପ୍ଳାବନ ଦ୍ୱାରା ଆଉ ଉଚ୍ଛିନ୍ନ ହେବେ ନାହିଁ; ପୁଣି, ପୃଥିବୀକୁ ବିନାଶ କରିବା ପାଇଁ ଆଉ ଜଳପ୍ଳାବନ ହେବ ନାହିଁ ।” 12 ପୁନଶ୍ଚ, ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭମାନଙ୍କ ସହିତ ଓ ତୁମ୍ଭମାନଙ୍କ ସଙ୍ଗୀ ସମସ୍ତ ପ୍ରାଣୀବର୍ଗ ସହିତ ପୁରୁଷାନୁକ୍ରମେ ଅନନ୍ତକାଳଯାଏ ଯେଉଁ ନିୟମ ସ୍ଥିର କଲୁ, ତହିଁର ଚିହ୍ନ ଏହି; 13 ଆମ୍ଭେ ମେଘରେ ଆପଣା ଧନୁ ସ୍ଥାପନ କରୁଅଛୁ, ତାହା ପୃଥିବୀ ସହିତ ଆମ୍ଭ ନିୟମର ଚିହ୍ନ ହେବ । 14 ଯେତେବେଳେ ଆମ୍ଭେ ପୃଥିବୀ ଉପରେ ମେଘ ସଞ୍ଚାର କରିବା, ସେତେବେଳେ ସେହି ଧନୁ ମେଘରେ ଦେଖାଯିବ; 15 ତହିଁରେ ତୁମ୍ଭମାନଙ୍କ ସହିତ ଓ ମାଂସବିଶିଷ୍ଟ ସମୁଦାୟ ପ୍ରାଣୀ ସହିତ ଆମର ଯେଉଁ ନିୟମ ଅଛି, ତାହା ଆମ୍ଭର ସ୍ମରଣ ହେବ, ତହିଁରେ ସବୁ ପ୍ରାଣୀର ବିନାଶାର୍ଥେ ଜଳପ୍ଳାବନ ଆଉ ହେବ ନାହିଁ । 16 ପୁଣି, ମେଘଧନୁ ହେଲେ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା, ତହିଁରେ ପୃଥିବୀସ୍ଥ ମାଂସବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳସ୍ଥାୟୀ ନିୟମ ଅଛି, ତାହା ଆମ୍ଭେ ସ୍ମରଣ କରିବା ।” 17 ପରମେଶ୍ୱର ନୋହଙ୍କୁ କହିଲେ, “ପୃଥିବୀସ୍ଥ ମାଂସବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ନିୟମ ସ୍ଥିର କରିଅଛୁ, ତହିଁର ଏହି ଚିହ୍ନ ହେବ ।”ନୋହ ଓ ତାଙ୍କ ପୁତ୍ରମାନେ18 ନୋହଙ୍କର ଯେଉଁ ପୁତ୍ରମାନେ ଜାହାଜରୁ ବହିର୍ଗତ ହେଲେ, ସେମାନଙ୍କ ନାମ ଶେମ ଓ ହାମ ଓ ଯେଫତ୍‍; ହାମ କିଣାନର ପିତା । 19 ଏହି ତିନିଜଣ ନୋହଙ୍କର ପୁତ୍ର; ଏମାନଙ୍କ ବଂଶସବୁ ପୃଥିବୀରେ ବ୍ୟାପ୍ତ ହେଲା ।

ଗୀତସଂହିତା

22ପ୍ରଧାନ ବାଦ୍ୟକର ନିମନ୍ତେ ଆୟେଲତ୍‍ହସଶହର ସ୍ୱରରେ ଦାଉଦଙ୍କର ଗୀତ । ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ?ମୋତେ ସାହାଯ୍ୟ କରିବାରୁ ଓ ମୋ’ ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ ?ହେ ମୋହର ପରମେଶ୍ୱର, ମୁଁ ଦିନ ବେଳେ ଡାକେ, ମାତ୍ର ତୁମ୍ଭେ ଉତ୍ତର ଦେଉ ନାହଁ,ଆଉ ରାତ୍ରିକାଳରେ ଡାକେ, ପୁଣି, ନୀରବ ନ ରହେ ।ତଥାପି ହେ ଇସ୍ରାଏଲର ପ୍ରଶଂସା-ନିବାସୀନ୍‍,ତୁମ୍ଭେ ପବିତ୍ର ଅଟ ।ଆମ୍ଭମାନଙ୍କ ପିତୃପୁରୁଷଗଣ ତୁମ୍ଭଠାରେ ବିଶ୍ୱାସ କଲେ;ସେମାନେ ବିଶ୍ୱାସ କଲେ, ଆଉ ତୁମ୍ଭେ ସେମାନଙ୍କୁ ଉଦ୍ଧାର କଲ ।ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ;ସେମାନେ ତୁମ୍ଭଠାରେ ବିଶ୍ୱାସ କଲେ, ଆଉ ଲଜ୍ଜିତ ନୋହିଲେ ।ମାତ୍ର ମୁଁ କୀଟ, ମନୁଷ୍ୟ ନୁହେଁ;ମନୁଷ୍ୟମାନଙ୍କର ନିନ୍ଦାପାତ୍ର ଓ ଲୋକମାନଙ୍କର ଅବଜ୍ଞାତ ।ମୋତେ ଦେଖିବା ଲୋକ ସମସ୍ତେ ମୋତେ ପରିହାସ କରନ୍ତି;ସେମାନେ ଓଷ୍ଠ ଲମ୍ବାଇ, ମସ୍ତକ ହଲାଇ କହନ୍ତି,“ସଦାପ୍ରଭୁଙ୍କଠାରେ ସେ ଆପଣାକୁ ସମର୍ପଣ କଲା;ସେ ତାହାକୁ ଉଦ୍ଧାର କରନ୍ତୁ;ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ ।”ମାତ୍ର ତୁମ୍ଭେ ହିଁ ମୋତେ ଗର୍ଭରୁ ବାହାର କରି ଆଣିଅଛ;ମୁଁ ଆପଣା ମାତୃ-କୋଳରେ ଥିବା ସମୟରେ ତୁମ୍ଭେ ମୋହର ବିଶ୍ୱାସ ଜନ୍ମାଇଅଛ ।10 ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି;ମୋହର ମାତାର ଉଦରରୁ ତୁମ୍ଭେ ମୋହର ପରମେଶ୍ୱର ଅଟ ।11 ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; କାରଣ ସଙ୍କଟ ସନ୍ନିକଟ;ସାହାଯ୍ୟକାରୀ କେହି ନାହିଁ ।12 ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି;ବାଶନର ବଳବାନ୍ ବୃଷଗଣ ମୋତେ ଘେରିଅଛନ୍ତି ।13 ସେମାନେ ଗ୍ରାସ କରିବାକୁ ଇଚ୍ଛା ଓ ଗର୍ଜ୍ଜନକାରୀ ସିଂହ ତୁଲ୍ୟମୋ’ ପ୍ରତି ମୁଖ ମେଲାଇ ଅଛନ୍ତି ।14 ମୁଁ ଜଳ ପରି ଢଳା ହେଉଅଛି ଓମୋହର ସବୁ ଅସ୍ଥି ସନ୍ଧିରୁ ଖସି ପଡ଼ୁଅଛି ।ମୋହର ହୃଦୟ ମହମ ପରି ହୋଇଅଛି;ତାହା ମୋ’ ଅନ୍ତ୍ର ମଧ୍ୟରେ ତରଳି ଯାଏ ।15 ମୋହର ବଳ ଖପରା ପରି ଶୁଷ୍କ ହୋଇଅଛି;ଆଉ, ମୋହର ଜିହ୍ୱା ତାଳୁରେ ଲାଗି ଯାଉଅଛି; ପୁଣି,ତୁମ୍ଭେ ମୋହର ମୃତ୍ୟୁର ଧୂଳିକି ଆଣିଅଛ ।16 କାରଣ କୁକ୍କୁରମାନେ ମୋତେ ବେଷ୍ଟନ କରିଅଛନ୍ତି;ଦୁରାଚାରୀମାନଙ୍କ ମଣ୍ଡଳୀ ମୋତେ ବେଢ଼ିଅଛନ୍ତି;ସେମାନେ ମୋହର ହସ୍ତ ପାଦ ବିଦ୍ଧ କରିଅଛନ୍ତି ।17 ମୁଁ ଆପଣା ଅସ୍ଥିସବୁ ଗଣିପାରେ;ସେମାନେ ମୋତେ ଅନାଇ ଚାହିଁ ରହିଥା’ନ୍ତି ।18 ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତିଓ ସେମାନେ ମୋ’ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲିବାଣ୍ଟ କରନ୍ତି ।19 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ;ହେ ମୋହର ଆଶ୍ରୟ, ତୁମ୍ଭେ ମୋର ସାହାଯ୍ୟ ପାଇଁ ସତ୍ୱର ହୁଅ ।20 ଖଡ଼୍‍ଗରୁ ମୋ’ ପ୍ରାଣକୁ ଓକୁକ୍କୁରର ବଳରୁ ମୋହର ଏକମାତ୍ର ଆତ୍ମାକୁ ଉଦ୍ଧାର କର ।21 ସିଂହର ମୁଖରୁ ମୋତେ ନିସ୍ତାର କର;ହଁ, ଅରଣାର ଶୃଙ୍ଗରୁ ରକ୍ଷା କରି ତୁମ୍ଭେ ମୋତେ ଉତ୍ତର ଦେଇଅଛ ।22 ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି;ସମାଜ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସା କରିବି ।23 ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର;ହେ ଯାକୁବର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କର ସମାଦର କର;ହେ ଇସ୍ରାଏଲର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ ।24 କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି ।କିଅବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି;ମାତ୍ର ସେ ତାହାଙ୍କୁ ଡାକନ୍ତେ, ସେ ଶୁଣିଲେ ।25 ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋହର ପ୍ରଶଂସା ଭୂମି;ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତସବୁ ପୂର୍ଣ୍ଣ କରିବି ।26 ନମ୍ର ଲୋକମାନେ ଭୋଜନ କରି ପରିତୃପ୍ତ ହେବେ;ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ;ତୁମ୍ଭମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ ।27 ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ;ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ ।28 କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ;ପୁଣି, ସେ ଗୋଷ୍ଠୀୟମାନଙ୍କର ଶାସନକର୍ତ୍ତା ଅଟନ୍ତି ।29 ପୃଥିବୀସ୍ଥ ପୁଷ୍ଟ ଲୋକ ସମସ୍ତେ ଭୋଜନ କରି ପ୍ରଣାମ କରିବେ;ଧୂଳିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ, ଅର୍ଥାତ୍‍,ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାହାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ ।30 ଏକ ବଂଶ ତାହାଙ୍କର ସେବା କରିବେ;ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ ।31 ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାହାଙ୍କ ଧାର୍ମିକତା ପ୍ରଚାର କରି କହିବେ,ସେ ଏହା ସାଧନ କରିଅଛନ୍ତି ।

ଦଶ କନ୍ୟାଙ୍କ ଦୃଷ୍ଟାନ୍ତ

25ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ । ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ, ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ । ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ । କିନ୍ତୁ ଅର୍ଦ୍ଧରାତ୍ରରେ ‘ଏହି ଦେଖ, ବର, ତାହାଙ୍କ ସାଙ୍ଗରେ ସାକ୍ଷାତ୍ କରିବାକୁ ବାହାର’, ଏପରି କୋଳାହଳ ହେଲା । ସେତେବେଳେ ସେହି କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ । କିନ୍ତୁ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ, ତୁମ ତେଲରୁ ଆମକୁ ଟିକେ ଦିଅ, କାରଣ ଆମ ଦୀପସବୁ ଲିଭିଯାଉଅଛି । ମାତ୍ର ସୁବୁଦ୍ଧିମାନେ ଉତ୍ତର ଦେଲେ, ନାହିଁ, ନାହିଁ, ତୁମ ଆମ ପାଇଁ ତ ଅଣ୍ଟିବ ନାହିଁ, ବରଂ ଦୋକାନୀମାନଙ୍କ ପାଖକୁ ଯାଇ ଆପଣା ଆପଣା ନିମନ୍ତେ କିଣି ଆଣ । 10 କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ‘ବର’ ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା । 11 ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇଦିଅନ୍ତୁ । 12 କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ । 13 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ ।ତୋଡ଼ାର ଦୃଷ୍ଟାନ୍ତ14 କାରଣ ବିଦେଶକୁ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଯେପରି ଆପଣା ଦାସମାନଙ୍କୁ ଡାକି ସେମାନଙ୍କ ହସ୍ତରେ ନିଜର ସର୍ବସ୍ୱ ସମର୍ପଣ କଲେ, ସ୍ୱର୍ଗରାଜ୍ୟ ସେହିପରି । 15 ସେ ଜଣକୁ ପାଞ୍ଚ ତୋଡ଼ା, ଅନ୍ୟ ଜଣକୁ ଦୁଇ ତୋଡ଼ା, ଆଉ ଜଣକୁ ଏକ ତୋଡ଼ା, ଏହିପରି ପ୍ରତ୍ୟେକକୁ ତାହାର ଶକ୍ତି ଅନୁସାରେ ଦେଇ ବିଦେଶକୁ ଯାତ୍ରା କଲେ । 16 ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ସେହିକ୍ଷଣି ତାହା ନେଇ ବ୍ୟବସାୟ କରି ଆଉ ପାଞ୍ଚ ତୋଡ଼ା ଲାଭ କଲା । 17 ସେହି ପ୍ରକାରେ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା । 18 ମାତ୍ର ଯେ ଗୋଟିଏ ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା । 19 ବହୁକାଳ ପରେ ସେହି ଦାସମାନଙ୍କର ପ୍ରଭୁ ଆସି ସେମାନଙ୍କ ସାଙ୍ଗରେ ହିସାବ କଲେ । 20 ଆଉ, ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ଆଉ ପାଞ୍ଚ ତୋଡ଼ା ନେଇ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ପାଞ୍ଚ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ପାଞ୍ଚ ତୋଡ଼ା ଲାଭ କରିଛି । 21 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ , ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ । 22 ପୁଣି, ଯେ ଦୁଇ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ଦୁଇ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ଦୁଇ ତୋଡ଼ା ଲାଭ କରିଛି । 23 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ , ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ । 24 ଆଉ, ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ବିଛାଇ ନ ଥାନ୍ତି, ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି । 25 ଏଣୁ ଭୟ କରି ମୁଁ ଯାଇ ଆପଣଙ୍କ ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି; ଦେଖନ୍ତୁ, ଆପଣ ନିଜର ଧନ ପାଇଲେ । 26 କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଓ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନ ଥାଏ, ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନ ଥାଏ, ସେଠାରେ ସଂଗ୍ରହ କରେ, ଏହା କ’ଣ ଜାଣିଥିଲୁ ? 27 ତେବେ ବଣିକମାନଙ୍କ ହସ୍ତରେ ମୋହର ଟଙ୍କା ରଖିବା ଉଚିତ ଥିଲା; ତାହାହେଲେ ମୁଁ ଆସି ସୁଧ ସହିତ ମୋହର ଧନ ଫେରି ପାଇଥାନ୍ତି । 28 ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ । 29 କାରଣ ଯେକୌଣସି ଲୋକର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ । 30 ଆଉ, ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।ଅନ୍ତିମ ବିଚାର31 ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ, 32 ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି, 33 ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ । 34 ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ; 35 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଅାଶ୍ରୟ ଦେଲ; 36 ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ । 37 ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ ? 38 ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ ? କିମ୍ବା ଉଲଙ୍ଗ ଦେଖି ବସ୍ତ୍ର ପରିଧାନ କରାଇଲୁ ? 39 ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ ? 40 ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ । 41 ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ କର, 42 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ; 43 ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ । 44 ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଙ୍ଗ, ପୀଡ଼ିତ କି କାରଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ ? 45 ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ ପ୍ରତି ହିଁ ତାହା କରି ନାହଁ । 46 ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ ।

ଯୀଶୁଙ୍କର ଅଧିକାରକୁ ଆହ୍ୱାନ

23 ପରେ ସେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବା ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ ? ଆଉ ତୁମ୍ଭକୁ କିଏ ଏହି ଅଧିକାର ଦେଲା ? 24 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ଯଦି ତୁମ୍ଭେମାନେ ମୋତେ ତାହା କହିବ, ତେବେ କେଉଁ ଅଧିକାରରେ ମୁଁ ଏହି ସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି । 25 ଯୋହନଙ୍କର ବାପ୍ତିସ୍ମ କେଉଁଠାରୁ ହୋଇଥିଲା ? ସ୍ୱର୍ଗରୁ ବା ମନୁଷ୍ୟଠାରୁ ? ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ ଆମ୍ଭମାନଙ୍କୁ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ ? 26 କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକସମୂହକୁ ତ ଭୟ! କାରଣ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନନ୍ତି । 27 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ । ସେ ମଧ୍ୟ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ।ଦୁଇ ପୁଅଙ୍କ ଦୃଷ୍ଟାନ୍ତ28 ମାତ୍ର ତୁମ୍ଭେମାନେ କ’ଣ ମନେ କର ? ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ । ସେ ପ୍ରଥମ ନିକଟକୁ ଆସି କହିଲେ, ପୁଅ, ଯା, ଆଜି ଦ୍ରାକ୍ଷାକ୍ଷେତ୍ରରେ କାମ କର । 29 ସେ ଉତ୍ତର ଦେଲା, ମୋର ଇଚ୍ଛା ନାହିଁ, କିନ୍ତୁ ପରେ ଅନୁତାପ କରି ଗଲା । 30 ପୁଣି, ସେ ଦ୍ୱିତୀୟ ପାଖକୁ ଆସି ସେହି ପ୍ରକାର କହିଲେ । ସେ ଉତ୍ତର ଦେଲା, ଆଜ୍ଞା, ମୁଁ ଯାଉଅଛି, କିନ୍ତୁ ଗଲା ନାହିଁ । 31 ଏହି ଦୁହିଁଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା ? ସେମାନେ କହିଲେ, “ପ୍ରଥମ ଜଣକ” । ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟାମାନେ ତୁମ୍ଭମାନଙ୍କ ଆଗେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଅଛନ୍ତି । 32 କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାହାଙ୍କୁ ବିଶ୍ୱାସ କରି ପାର, ଏଥି ନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ । ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ ।ଦ୍ରାକ୍ଷାକ୍ଷେତ୍ରରେ ଦୁଷ୍ଟ ଭାଗଚାଷୀଙ୍କ ଦୃଷ୍ଟାନ୍ତ33 ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀଗୃହ ତିଆରି କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଚାଲିଗଲେ । 34 ପରେ ଫଳର ସମୟ ପାଖେଇ ଆସନ୍ତେ ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ । 35 କିନ୍ତୁ କୃଷକମାନେ ତାହାଙ୍କ ଦାସମାନଙ୍କୁ ଧରି ଜଣକୁ ପ୍ରହାର କଲେ, ଅନ୍ୟ ଜଣକୁ ବଧ କଲେ, ପୁଣି, ଆଉ ଜଣକୁ ପଥର ଫପାଡ଼ି ମାରିପକାଇଲେ । 36 ପୁଣି, ଥରେ ସେ ପ୍ରଥମ ଥର ଅପେକ୍ଷା ଅଧିକସଂଖ୍ୟକ ଦାସ ପଠାଇଲେ, ଆଉ ସେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କଲେ । 37 କିନ୍ତୁ ମୋର ପୁଅକୁ ସେମାନେ ମାନ୍ୟ କରିବେ, ଏହା କହି ସେ ପରେ ଆପଣା ପୁତ୍ରକୁ ସେମାନଙ୍କ ନିକଟକୁ ପଠାଇଲେ । 38 ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ମାରି ଦେଇ ଆମ୍ଭେମାନେ ଏହାର ଅଧିକାର ଦଖଲ କରୁ । 39 ଆଉ ସେମାନେ ତାହାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ମାରିଦେଲେ । 40 ଅତଏବ ଯତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର ମାଲିକ ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କ’ଣ କରିବେ ? 41 ସେମାନେ ତାହାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କୁ ନିଷ୍ଠୁରଭାବରେ ବିନାଶ କରିବେ ଓ ଯେଉଁ ଅନ୍ୟ କୃଷକମାନେ ତାହାଙ୍କୁ ଠିକ୍ ସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବେ । 42 ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କି କେବେ ହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ ? 43 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କଠାରୁ କାଢ଼ିନିଆଯିବ, ପୁଣି, ଯେଉଁ ଜାତି ସେଥିର ଫଳ ଫଳିବ, ତାହାକୁ ଦିଆଯିବ। 44 ଆଉ ଯେ ଏହି ପ୍ରସ୍ତର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ଏହି ପ୍ରସ୍ତର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୂର୍ଣ୍ଣବିଚୂର୍ଣ୍ଣ କରିବ । 45 ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କର ଏହି ସମସ୍ତ ଦୃଷ୍ଟାନ୍ତ ଶୁଣି, ସେ ଯେ ସେମାନଙ୍କ ବିଷୟରେ କହୁଅଛନ୍ତି, ଏହା ବୁଝିଲେ । 46 ଆଉ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ ।
ବିବାହ ଭୋଜର ଦୃଷ୍ଟାନ୍ତ22ପୁଣି, ଥରେ ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ, ସ୍ୱର୍ଗରାଜ୍ୟ ଏପରି ଜଣେ ରାଜାଙ୍କ ସଦୃଶ, ଯେ ଆପଣା ପୁତ୍ରଙ୍କ ବିବାହ-ଉତ୍ସବ ଆୟୋଜନ କଲେ, ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ । ପୁଣି, ଥରେ ସେ ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇ ଅଛନ୍ତି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ, କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ, ଆଉ ବଳକା ଲୋକ ତାହାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର ଓ ବଧ କଲେ । କିନ୍ତୁ ରାଜା ରାଗିଯାଇ ଆପଣା ସୈନ୍ୟମାନଙ୍କୁ ପଠାଇ ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କ ନଗର ଭସ୍ମସାତ୍ କଲେ । ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ । ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର । 10 ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା । 11 କିନ୍ତୁ ରାଜା ନିମନ୍ତ୍ରିତ ଅତିଥିମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହବସ୍ତ୍ର ପରିଧାନ କରି ନ ଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ, 12 ହେ ବନ୍ଧୁ, ତୁମ୍ଭେ ବିବାହବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ ? ମାତ୍ର ସେ ନିରୁତ୍ତର ହୋଇ ରହିଲା । 13 ସେଥିରେ ରାଜା ପରିଚାରକମାନଙ୍କୁ କହିଲେ, ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ । 14 କାରଣ ଅନେକ ଆହୂତ, କିନ୍ତୁ ଅଳ୍ପ ମନୋନୀତ ।କର ଦେବା ପ୍ରସଙ୍ଗ15 ସେତେବେଳେ ଫାରୂଶୀମାନେ ଯାଇ ତାହାଙ୍କୁ ବାକ୍ୟ ଦ୍ୱାରା ଫାନ୍ଦରେ ପକାଇବା ନିମନ୍ତେ ମନ୍ତ୍ରଣା କଲେ । 16 ଆଉ, ସେମାନେ ହେରୋଦୀୟମାନଙ୍କ ସହିତ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିକଟକୁ କହି ପଠାଇଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଏବଂ ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି ପୁଣି, କାହାରିକୁ ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ । 17 ଅତଏବ ଆମ୍ଭମାନଙ୍କୁ କୁହନ୍ତୁ, ଆପଣଙ୍କର ମତ କ’ଣ ? କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ ? 18 କିନ୍ତୁ ଯୀଶୁ ସେମାନଙ୍କର ଦୁଷ୍ଟତା ଜାଣି କହିଲେ, ରେ କପଟୀମାନେ, କାହିଁକି ମୋତେ ପରୀକ୍ଷା କରୁଅଛ ? 19 ସେହି କରର ମୁଦ୍ରା ମୋତେ ଦେଖାଅ। ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ଅଧୁଲି ଆଣିଲେ । 20 ସେ ସେମାନଙ୍କୁ ପଚାରିଲେ, ଏହି ମୁର୍ତ୍ତି ଓ ନାମ କାହାର ? 21 ସେମାନେ କହିଲେ, କାଇସରଙ୍କର । ସେଥିରେ ସେ ସେମାନଙ୍କୁ କହିଲେ, ତେବେ କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ । 22 ସେମାନେ ଏହା ଶୁଣି ଚମତ୍କୃତ ହୋଇ ତାହାଙ୍କୁ ଛାଡ଼ି ଚାଲିଗଲେ ।ସାଦ୍ଦୂକୀଙ୍କ ପୁନରୁତ୍‌ଥାନର ପ୍ରଶ୍ନ23 ପୁନରୁତ୍ଥାନ ନାସ୍ତି କରୁଥିବା ସାଦ୍ଦୂକୀମାନେ ସେହି ଦିନ ତାହାଙ୍କ ପାଖକୁ ଆସି ପଚାରିଲେ, 24 ହେ ଗୁରୁ, ମୋଶା କହିଅଛନ୍ତି ଯେ, ଯଦି କେହି ନିଃସନ୍ତାନ ହୋଇ ମରେ, ତେବେ ତାହାର ଭାଇ ତାହାର ଭାର୍ଯ୍ୟାକୁ ବିବାହ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ । 25 ଦେଖନ୍ତୁ, ଆମ୍ଭମାନଙ୍କ ମଧ୍ୟରେ ସାତ ଭାଇ ଥିଲେ; ପ୍ରଥମଟି ବିବାହ କରି ମରିଗଲା, ପୁଣି, ନିଃସନ୍ତାନ ଥିବାରୁ ଆପଣା ଭାଇ ପାଇଁ ନିଜ ଭାର୍ଯ୍ୟାକୁ ଛାଡ଼ିଗଲା; 26 ଦ୍ୱିତୀୟ, ତୃତୀୟ ଆଦି ସପ୍ତମ ଜଣ ପର୍ଯ୍ୟନ୍ତ ମଧ୍ୟ ସେହି ପ୍ରକାର କଲେ । 27 ସମସ୍ତଙ୍କ ଶେଷରେ ସ୍ତ୍ରୀଟି ମରିଗଲା । 28 ତେବେ ପୁନରୁତ୍ଥାନରେ ସେହି ସାତ ଜଣଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ ? ସମସ୍ତେ ତ ତାହାକୁ ବିବାହ କରିଥିଲେ । 29 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଧର୍ମଶାସ୍ତ୍ର ପୁଣି, ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଅଛ । 30 କାରଣ ପୁନରୁତ୍ଥାନରେ ଲୋକେ ବିବାହ କରନ୍ତି ନାହିଁ, କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି । 31 ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ୱର ତୁମ୍ଭମାନଙ୍କୁ ଯାହା କହିଅଛନ୍ତି, ତାହା କି ତୁମ୍ଭେମାନେ ପାଠ କରି ନାହଁ ? 32 ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର । ସେ ମୃତମାନଙ୍କ ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର । 33 ଲୋକମାନେ ଏହା ଶୁଣି ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ ।ଶ୍ରେଷ୍ଠ ଆଜ୍ଞା34 ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ, 35 ଆଉ ସେମାନଙ୍କ ମଧ୍ୟରୁ ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ତାହାଙ୍କୁ ପରୀକ୍ଷା କରି ପଚାରିଲେ, 36 ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ ? 37 ସେ ତାହାଙ୍କୁ କହିଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର । 38 ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା । 39 ଦ୍ୱିତୀୟଟି ଏହାର ସଦୃଶ, ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । 40 ଏହି ଦୁଇ ଆଜ୍ଞା ଉପରେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ ।ଖ୍ରୀଷ୍ଟ କାହାର ସନ୍ତାନ ?41 ଫାରୂଶୀମାନେ ଏକତ୍ର ହୋଇଥିବା ସମୟରେ ଯୀଶୁ ସେମାନଙ୍କୁ ପଚାରିଲେ, 42 ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ମତ କ’ଣ ? ସେ କାହାର ସନ୍ତାନ ? ସେମାନେ ତାହାଙ୍କୁ କହିଲେ, ଦାଉଦଙ୍କର । 43 ଯୀଶୁ ସେମାନଙ୍କୁ କହିଲେ, ତେବେ ଦାଉଦ କିପ୍ରକାରେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ପ୍ରଭୁ ବୋଲି କହନ୍ତି ? 44 ଯଥା, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ । 45 ଅତଏବ, ଦାଉଦ ଯଦି ତାହାଙ୍କୁ ପ୍ରଭୁ ବୋଲି କହନ୍ତି, ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ ? 46 ସେଥିରେ କେହି ତାହାଙ୍କୁ ପଦେ ହେଲେ ଉତ୍ତର ଦେଇ ପାରିଲେ ନାହିଁ, ପୁଣି, ସେହି ଦିନଠାରୁ କେହି ତାହାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ ।
ସାଦ୍ଦୂକୀ ଓ ଫାରୂଶୀମାନଙ୍କ ପ୍ରତି ସାତୋଟି ସନ୍ତାପ23ସେହି ସମୟରେ ଯୀଶୁ ଲୋକସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ, ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ଆସନରେ ବସିଅଛନ୍ତି । ଅତଏବ ସେମାନେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା ମାନ ଓ ପାଳନ କର, ମାତ୍ର ସେମାନଙ୍କ କର୍ମ ଅନୁସାରେ କର୍ମ କର ନାହିଁ, କାରଣ ସେମାନେ କହନ୍ତି, କିନ୍ତୁ କରନ୍ତି ନାହିଁ । ସେମାନେ ଗୁରୁ ଭାର ବହନ କରି ମନୁଷ୍ୟମାନଙ୍କ କାନ୍ଧରେ ଥୋଇଦିଅନ୍ତି, କିନ୍ତୁ ନିଜେ ଅଙ୍ଗୁଳି ଦେଇ ତାହା ଟେକିବାକୁ ଇଚ୍ଛା କରନ୍ତି ନାହିଁ । ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି, ଆଉ ଭୋଜନରେ ପ୍ରଧାନ ସ୍ଥାନ ଓ ସମାଜଗୃହରେ ପ୍ରଧାନ ଆସନ, ପୁଣି, ହାଟବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି । କିନ୍ତୁ ତୁମ୍ଭେମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ଗୁରୁ ଜଣେ, ପୁଣି, ତୁମ୍ଭେମାନେ ସମସ୍ତେ ଭାଇ । ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ଡାକ ନାହିଁ, କାରଣ ତୁମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି । 10 ଆଉ ତୁମ୍ଭେମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ନେତା ଜଣେ, ସେ ଖ୍ରୀଷ୍ଟ । 11 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ, ସେ ତୁମ୍ଭମାନଙ୍କର ସେବକ ହେବ । 12 ଆଉ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ କେହି ଆପଣକୁ ନତ କରେ ତାହାକୁ ଉନ୍ନତ କରାଯିବ ।ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ ଭର୍ତ୍ସନା13 କିନ୍ତୁ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗରାଜ୍ୟ ବନ୍ଦ କରୁଥାଅ; ତୁମ୍ଭେମାନେ ତ ନିଜେ ପ୍ରବେଶ କରୁ ନାହଁ, ପୁଣି, ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉ ନାହଁ । 14 [ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ବିଧବାମାନଙ୍କର ଗୃହସବୁ ଗ୍ରାସ କରୁଥାଅ; ଏଣୁ ତୁମ୍ଭେମାନେ ଗୁରୁତର ଦଣ୍ଡ ପାଇବ ।] 15 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି, ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇ ଗୁଣ ନର୍କର ପାତ୍ର କରୁଥାଅ । 16 ହାୟ, ଦଣ୍ଡର ପାତ୍ର ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ କହୁଥାଅ, କେହି ମନ୍ଦିରର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ମନ୍ଦିରସ୍ଥ ସ୍ୱର୍ଣ୍ଣର ଶପଥ କରେ, ସେ ତଦ୍ୱାରା ବନ୍ଧା । 17 ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କ’ଣ ଶ୍ରେଷ୍ଠ ? 18 ଆହୁରି କହୁଥାଅ, କେହି ବେଦିର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ତାହା ଉପରେ ଥିବା ନୈବେଦ୍ୟର ଶପଥ କରେ, ସେ ତଦ୍ୱାରା ବନ୍ଧା । 19 ରେ ଅନ୍ଧମାନେ, ନୈବେଦ୍ୟ କିମ୍ବା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ବେଦି, ଏହି ଦୁଇ ମଧ୍ୟରେ କେଉଁଟି ଶ୍ରେଷ୍ଠ ? 20 ଅତଏବ ଯେଉଁ ଲୋକ ବେଦିର ଶପଥ କରେ, ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ; 21 ଆଉ ଯେ ମନ୍ଦିରର ଶପଥ କରେ, ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ; 22 ପୁଣି, ଯେ ସ୍ୱର୍ଗର ଶପଥ କରେ, ସେ ଈଶ୍ୱରଙ୍କ ସିଂହାସନ ଓ ତଦୁପବିଷ୍ଟଙ୍କର ଶପଥ କରେ । 23 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମୋହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ମୋଶାଙ୍କ ବ୍ୟବସ୍ଥାର ଗୁରୁତର ବିଷୟ ଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ । 24 ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ । 25 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ସଫା କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ । 26 ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ । 27 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଧଳା ରଙ୍ଗର ସମାଧି ସରୂପ । ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ଓ ସର୍ବ ପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ; 28 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ ।କପଟୀ ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ ଦଣ୍ଡର ଭବିଷ୍ୟତ ବାଣୀ29 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସଜାଇ କହୁଥାଅ, 30 ଆମ୍ଭେମାନେ ଯେବେ ଆମ୍ଭମାନଙ୍କର ପିତୃପୁରୁଷଙ୍କ ସମୟରେ ଥାଆନ୍ତୁ, ତେବେ ଭାବବାଦୀମାନଙ୍କ ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇ ନ ଥାଆନ୍ତୁ । 31 ଏଣୁ ତୁମ୍ଭେମାନେ ଯେ ଭାବବାଦୀଙ୍କ ହତ୍ୟାକାରୀମାନଙ୍କର ସନ୍ତାନ ଅଟ, ସେ ବିଷୟରେ ତୁମ୍ଭେମାନେ ହିଁ ଆପଣା ଆପଣା ବିଷୟରେ ସାକ୍ଷ୍ୟ ଦେଉଅଛ । 32 ତୁମ୍ଭେମାନେ ନିଜ ନିଜ ପିତୃପୁରୁଷଙ୍କର ପରିମାଣ ପୂର୍ଣ୍ଣ କର । 33 ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କିପ୍ରକାରେ ନର୍କ ଦଣ୍ଡରୁ ରକ୍ଷା ପାଇବ ? 34 ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପଠାଉଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହା କାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁନଗର ତାଡ଼ନା କରିବ, 35 ଯେପରି ଧାର୍ମିକ ହେବଲଙ୍କ ରକ୍ତପାତଠାରୁ, ଯେଉଁ ବେରିଖୀୟଙ୍କ ପୁତ୍ର ଯିଖରୀୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ବେଦିର ମଧ୍ୟସ୍ଥଳରେ ବଧ କଲ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହି ସମସ୍ତ ତୁମ୍ଭମାନଙ୍କ ଉପରେ ଘଟିବ । 36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷ ଉପରେ ଏହି ସମସ୍ତ ଘଟିବ ।ଯିରୂଶାଲମ ପ୍ରତି ଯୀଶୁଙ୍କର ବିଳାପ37 ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତାରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ । 38 ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ିଦିଆଯାଉଅଛି । 39 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ, ତୁମ୍ଭେମାନେ ଏହି କଥା ନ କହିବା ପର୍ଯ୍ୟନ୍ତ ଆଜିଠାରୁ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ ।

ଯୀଶୁଙ୍କ ମହାଯାଜକୀୟ ପ୍ରାର୍ଥନା17ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ସମୟ ଉପସ୍ଥିତ ହେଲାଣି; ତୁମ୍ଭର ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ପୁତ୍ର ତୁମ୍ଭକୁ ମହିମାନ୍ୱିତ କରନ୍ତି, ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମର୍ତ୍ତ୍ୟ ଉପରେ ଅଧିକାର ଦେଲ । ଆଉ, ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ । ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି । ଆଉ ଏବେ, ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା, ତଦ୍ବାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ୱିତ କର । ତୁମ୍ଭେ ମୋତେ ଜଗତ ମଧ୍ୟରୁ ଯେଉଁ ଲୋକମାନଙ୍କୁ ଦାନ କଲ, ମୁଁ ସେମାନଙ୍କ ନିକଟରେ ତୁମ୍ଭର ନାମ ପ୍ରକାଶ କରିଅଛି; ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦାନ କଲ, ଆଉ ସେମାନେ ତୁମ୍ଭର ବାକ୍ୟ ପାଳନ କରିଅଛନ୍ତି । ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ, ସେହି ସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ, ଏହା ସେମାନେ ଏବେ ବୁଝିଅଛନ୍ତି; କାରଣ ତୁମ୍ଭେ ମୋତେ ଯେ ସମସ୍ତ ବାକ୍ୟ ଦାନ କଲ, ମୁଁ ସେମାନଙ୍କୁ ସେହି ସବୁ ଦାନ କରିଅଛି, ଆଉ ସେମାନେ ଗ୍ରହଣ କରିଅଛନ୍ତି, ପୁଣି, ମୁଁ ଯେ ତୁମ୍ଭ ନିକଟରୁ ଆସିଅଛି, ତାହା ସତ୍ୟ ରୂପେ ଜାଣିଅଛନ୍ତି ଓ ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ବିଶ୍ୱାସ କରିଅଛନ୍ତି । ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି; ଜଗତ ନିମନ୍ତେ ପ୍ରାର୍ଥନା କରୁ ନାହିଁ, କିନ୍ତୁ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର; 10 ଯାହା ଯାହା ମୋହର, ସେହି ସବୁ ତୁମ୍ଭର, ପୁଣି, ଯାହା ଯାହା ତୁମ୍ଭର, ସେହି ସବୁ ମୋହର; ଆଉ, ମୁଁ ସେମାନଙ୍କଠାରେ ମହିମାନ୍ୱିତ ହୋଇଅଛି । 11 ମୁଁ ଆଉ ଏ ଜଗତରେ ରହୁ ନାହିଁ, କିନ୍ତୁ ଏମାନେ ଜଗତରେ ରହୁଅଛନ୍ତି; ପୁଣି, ମୁଁ ତୁମ୍ଭ ନିକଟକୁ ଯାଉଅଛି । ପବିତ୍ର ପିତଃ, ତୁମ୍ଭ ନାମରେ ସେମାନଙ୍କୁ ରକ୍ଷା କର , ଯେପରି ଆମ୍ଭେମାନେ ଯେପ୍ରକାର ଏକ, ସେମାନେ ସେପ୍ରକାର ଏକ ହୁଅନ୍ତି । 12 ସେମାନଙ୍କ ସହିତ ରହୁଥିବା ସମୟରେ ମୁଁ ସେମାନଙ୍କୁ ତୁମ୍ଭ ନାମରେ ରକ୍ଷା କରି ଅାସିଅଛି , ଆଉ ମୁଁ ସେମାନଙ୍କୁ ସାବଧାନରେ ରକ୍ଷା କରିଅଛି ଓ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ଏଥି ନିମନ୍ତେ ବିନାଶର ସନ୍ତାନ ବିନା ସେମାନଙ୍କ ମଧ୍ୟରୁ ଜଣେ କେହି ବିନଷ୍ଟ ହୋଇ ନାହିଁ । 13 କିନ୍ତୁ ଏବେ ମୁଁ ତୁମ୍ଭ ନିକଟକୁ ଯାଉଅଛି, ଆଉ ସେମାନଙ୍କ ଅନ୍ତରେ ମୋହର ଆନନ୍ଦ ଯେପରି ସମ୍ପୂର୍ଣ୍ଣ ହୁଏ, ସେଥିନିମନ୍ତେ ଜଗତରେ ଥାଉ ଥାଉ ମୁଁ ଏହାସବୁ କହୁଅଛି । 14 ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ ଦାନ କରିଅଛି, ଆଉ ଜଗତ ସେମାନଙ୍କୁ ଘୃଣା କରିଅଛି, କାରଣ ମୁଁ ଯେପରି ଏ ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେହିପରି ଏହି ଜଗତରୁ ଉତ୍ପନ୍ନ ନୁହଁନ୍ତି । 15 ତୁମ୍ଭେ ସେମାନଙ୍କୁ ଜଗତରୁ ଘେନିଯାଅ ବୋଲି ମୁଁ ପ୍ରାର୍ଥନା କରୁ ନାହିଁ, କିନ୍ତୁ ସେମାନଙ୍କୁ ମନ୍ଦରୁ ରକ୍ଷା କର ବୋଲି ପ୍ରାର୍ଥନା କରୁଅଛି । 16 ମୁଁ ଯେପରି ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେପରି ଜଗତରୁ ଉତ୍ପନ୍ନ ନୁହଁନ୍ତି । 17 ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ । 18 ତୁମ୍ଭେ ମୋତେ ଯେପରି ଜଗତକୁ ପ୍ରେରଣ କରିଅଛ, ମୁଁ ମଧ୍ୟ ସେମାନଙ୍କୁ ସେପରି ଜଗତକୁ ପ୍ରେରଣ କରିଅଛି । 19 ଆଉ, ସେମାନେ ସୁଦ୍ଧା ଯେପରି ସତ୍ୟ ଦ୍ୱାରା ପବିତ୍ରୀକୃତ ହୁଅନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ଆପଣାକୁ ପବିତ୍ର କରୁଅଛି । 20 ମୁଁ କେବଳ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁ ନାହିଁ, ମାତ୍ର ଏମାନଙ୍କ ବାକ୍ୟ ଦ୍ୱାରା ଯେଉଁମାନେ ମୋ’ଠାରେ ବିଶ୍ୱାସ କରନ୍ତି, ସେମାନଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରୁଅଛି, 21 ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି; ହେ ପିତା, ତୁମ୍ଭେ ଯେପ୍ରକାରେ ମୋ’ଠାରେ ଅଛ ଓ ମୁଁ ତୁମ୍ଭଠାରେ ଅଛି, ସେମାନେ ମଧ୍ୟ ସେପ୍ରକାରେ ଆମ୍ଭମାନଙ୍କଠାରେ ରହନ୍ତୁ, ଯେପରି ତୁମ୍ଭେ ମୋତେ ପ୍ରେରଣ କଲ ବୋଲି ଜଗତ ବିଶ୍ୱାସ କରେ । 22 ଆଉ, ତୁମ୍ଭେ ମୋତେ ଯେଉଁ ମହିମା ଦେଇଅଛ, ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ଯେପ୍ରକାରେ ଏକ, ସେମାନେ ସେପ୍ରକାରେ ଏକ ହୁଅନ୍ତି; 23 ମୁଁ ସେମାନଙ୍କଠାରେ, ଆଉ ତୁମ୍ଭେ ମୋ’ଠାରେ, ଯେପରି ସେମାନେ ସିଦ୍ଧ ହୋଇ ଏକ ହୁଅନ୍ତି, ଯେପରି ଜଗତ ବୁଝିବ ଯେ, ତୁମ୍ଭେ ମୋତେ ପ୍ରେରଣ କଲ, ପୁଣି, ମୋତେ ଯେପ୍ରକାରେ ପ୍ରେମ କଲ, ସେମାନଙ୍କୁ ମଧ୍ୟ ସେପ୍ରକାରେ ପ୍ରେମ କଲ । 24 ହେ ପିତା, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ମୁଁ ଯେଉଁଠାରେ ଥାଏ, ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବେ ଓ ଜଗତର ପତ୍ତନ ପୂର୍ବେ ତୁମ୍ଭେ ମୋତେ ପ୍ରେମ କରିଥିବାରୁ ମୋତେ ଯେଉଁ ମହିମା ଦେଇଅଛ, ମୋହର ସେହି ମହିମା ସେମାନେ ଯେପରି ଦେଖିବେ, ଏହା ମୋହର ଇଚ୍ଛା । 25 ହେ ଧାର୍ମିକ ପିତା, ଜଗତ ତୁମ୍ଭକୁ ଜାଣି ନାହିଁ, କିନ୍ତୁ ମୁଁ ତୁମ୍ଭକୁ ଜାଣିଅଛି; ଆଉ, ତୁମ୍ଭେ ଯେ ମୋତେ ପ୍ରେରଣ କଲ, ତାହା ଏମାନେ ଜାଣିଅଛନ୍ତି; 26 ପୁଣି, ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ଥାଏ ଓ ମୁଁ ସେମାନଙ୍କଠାରେ ରହେ, ଏନିମନ୍ତେ ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି ।